ପିଲାଙ୍କ ସହ କ୍ରିକେଟ, ବ୍ୟାଣ୍ଟମିଣ୍ଟନ ଖେଳିଲେ ଜିଲ୍ଲାପାଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଶାସନିକ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ରହୁଥିବା ଜିଲ୍ଲାପାଳ ସାଧାରଣତଃ ଖୁବ୍‌ ଗମ୍ଭୀର ଦେଖାଯାଇଥାନ୍ତି । ସର୍ବସାଧାରଣ ସ୍ଥାନରେ ଜିଲ୍ଲାପାଳମାନେ ଖୁବ୍‌ ମାପଚୁପ୍‌ କରି କଥାବାର୍ତ୍ତା ହୋଇଥାନ୍ତି। ହେଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ୍ଷେତ୍ରରେ ନିଜକୁ ଟିକେ ଭିନ୍ନ ପ୍ରମାଣିତ କରିଛନ୍ତି। ନିଜ କାର୍ଯ୍ୟବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ସତ୍ତ୍ୱେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଗୋଷାଣୀ ବ୍ଲକ ଲାବଣ୍ୟଗଡ଼ରେ ଥିବା ଆଶ୍ରମ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ପହଞ୍ଚି ପିଲାଙ୍କ ସୁଖ ଦୁଃଖ ବୁଝିଥିଲେ। ସେମାନଙ୍କ ସହ କ୍ରିକେଟ୍ ଓ ବ୍ୟାଡମିଣ୍ଟନ ମଧ୍ୟ ଖେଳିଥିଲେ। ସବୁବେଳେ ସୁରକ୍ଷା ଘେରରେ ରହୁଥିବା ଜିଲ୍ଲାପାଳ ଯେ ଖୋଦ ତାଙ୍କ ପାଖକୁ ଆସି ତାଙ୍କ ଭଲମନ୍ଦ ବୁଝୁଛନ୍ତି, ଏକଥା ପିଲାମାନଙ୍କୁ ସ୍ୱପ୍ନ ପରି ଲାଗୁଥିଲା। ହେଲେ ଜିଲ୍ଲାପାଳଙ୍କୁ ପାଖରେ ପାଇ ତାଙ୍କ ସହ କିଛି ସମୟ ଅତିବାହିତ କରିପାରି ଥିବାରୁ ପିଲାମାନେ ବି ବେଶ୍‌ ଖୁସି ଓ ଉତ୍ସାହିତ ଲାଗୁଥିଲେ।
ସୂଚନାଯୋଗ୍ୟ, ୨୦୧୮ ମସିହାରେ ତିତଲି ବାତ୍ୟାରେ ଗଜପତି ଜିଲ୍ଲାର ଅନେକ ଅଞ୍ଚଳ ଛାରଖାର ହୋଇଯାଇଥିଲା। ବହୁ ଧନଜୀବନ ନଷ୍ଟ ହୋଇଥିଲା । ବହୁ ପିଲା ନିଜ ବାପାମା’ଙ୍କୁ ହରାଇ ଅନାଥ ହୋଇଯାଇଥିଲେ। ଏପରି କିଛି ପିଲାଙ୍କୁ ଜିଲ୍ଲା ପ୍ରଶାସନ ପୋଷ୍ୟ ଭାବେ ଗ୍ରହଣ କରିଛି । ତିତଲି ବାତ୍ୟାର ୨ ବର୍ଷ ପୂରିବା ଆଗରୁ ଗଜପତି ଜିଲ୍ଲାପାଳ ଲାବଣ୍ୟଗଡ଼ ଆଶ୍ରମ ବିଦ୍ୟାଳୟ ଯାଇ ପିଲାଙ୍କ ସହ କିଛି ସମୟ ବିତାଇଥିଲେ ।

Leave a comment

You cannot copy content of this page