ମନ୍ଦିର ପୂଜକଙ୍କୁ ଜିଅନ୍ତା ଜାଳିଦେଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜସ୍ଥାନରେ ଏକ ମନ୍ଦିର ଜମି ବିବାଦକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଜଣେ ପୂଜକଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ରାଜସ୍ଥାନ କରୌଲି ଜିଲ୍ଲା ବୁକନା ଗ୍ରାମରେ ଏଭଳି ଘଟଣା ଘଟିଛି। ପୂଜକ ଜଣକୁ ଗୁରୁତର ଅବସ୍ଥାରେ ଜୟପୁରସ୍ଥିତ ଏସ୍‌ଏମ୍‌ଏସ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜଣେ ପୂଜକଙ୍କ ଜମିକୁ ସ୍ଥାନୀୟ ବ୍ୟକ୍ତି ଜବରଦଖଲ କରିଥିଲା। ଉକ୍ତ ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ଘଟିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ କୈଳାସ ମୀନାକୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ କୈଳାସ ମୀଣା ଓ ତାଙ୍କ ପୁଅ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ପୂଜକଙ୍କ ଜମିକୁ ମାଡ଼ି ବସିବାକୁ ଚେଷ୍ଟା କରିଥିଲେ। ମୃତ୍ୟୁ ପୂର୍ବରୁ ପୀଡ଼ିତ ପୂଜାରୀ ୫୦ ବର୍ଷୀୟ ବାବୁଲାଲ୍ ବୈଷ୍ଣବ ପୁଲିସକୁ ବୟାନ ଦେଇଥିବା ସମ୍ପର୍କରେ କରୌଲି ଏସ୍‌ପି ମୃଦୁଲ କଚ୍ଛୱା କହିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।

ଏହି ଘଟଣାରେ ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ଟାର୍ଗେଟ୍ କରିବା ସହ ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ୱିଟ୍ କରି ବାବୁଲାଲ୍ ବୈଷ୍ଣବଙ୍କ ହତ୍ୟାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହି କଡ଼ା ନିନ୍ଦା କରିଛନ୍ତି। ସଭ୍ୟ ସମାଜରେ ଏପରି ହୀନକର୍ମର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି। ଦୋଷୀଙ୍କ ପ୍ରତି କଡ଼ା ଶାସ୍ତି ବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ୍ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ପୀଡ଼ିତ ବାବୁଲାଲ୍ ପୁଲିସ ଆଗରେ ବୟାନ ଦେଇଛନ୍ତି ଯେ କୈଳାସ ମୀଣା ଓ ତାଙ୍କ ସାଥି ଶଙ୍କର, ନମୋ, କିଶନ ଓ ରାମଲଖନଙ୍କୁ ଧରି ମନ୍ଦିର ବାଡକୁ ଦଖଲ କରି ସେଠାରେ ଛପର କରୁଥିଲେ । ବାବୁଲାଲ୍ ସେଥିରେ ବାଧା ଦେବାରୁ ଅଭିଯୁକ୍ତମାନେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ମନ୍ଦିର ନାମରେ ଥିବା ୧୫ ବିଘା ଜମିକୁ ଚାଷ କରି ବାବୁଲାଲଙ୍କ ପରିବାର ଚଳନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ରାଜ୍ୟରେ ଗୁଣ୍ଡାଙ୍କ ରାଜ ଚାଲିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶସାରା ଗସ୍ତ କରୁଛନ୍ତି। ଅଥଚ ହରିଆଣା ପ୍ରତି ସାମାନ୍ୟ ଦୃଷ୍ଟି ପକାଉନାହାନ୍ତି। ସେ ରାଜ୍ୟ ସରକାରଙ୍କ ଇସ୍ତଫା ଦାବି କରିବା ଉଚିତ। ଗ୍ରାମବାସୀମାନେ ମୃତ ପୂଜକଙ୍କ ପରିବାରକୁ ସମର୍ଥନ କରି କ୍ଷତିପୂରଣ ଦାବି କରିଛନ୍ତି।

Leave a comment

You cannot copy content of this page