ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଥାନାରେ ମାମଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ କୋଭିଡ୍-19 ଆଇନ୍ ଉଲ୍ଲଂଘନ ଅଭିଯୋଗ । ଏନେଇ ମନ୍ତ୍ରୀ ସମୀର ଦାଶ ଓ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଥାନାରେ ଏତଲା ହୋଇଛି। ପୁରୀ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ ଓ ଶ୍ରୀଜଗନ୍ନାଥ ସେନା ସମୁଦ୍ର କୂଳ ଥାନାରେ ଏତଲା ଦେଇଛନ୍ତି । ଏତଲା ଅନୁସାରେ କିଛି ଦିନ ତଳେ ସମୀର ଦାଶ ଓ ଉମାକାନ୍ତ ସାମନ୍ତରାୟ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ଏହାସତ୍ତ୍ୱେ ଦୁଇ ଜଣ ଗତକାଲି ଦିବଂଗତ ବିଧାୟକ ମହାରଥୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ । ଶହ ଶହ ଲୋକଙ୍କ ଗହଣରେ ପୁରୀ ସ୍ୱର୍ଗଦ୍ୱାରରେ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ମଧ୍ୟ ସାମିଲ ହୋଇଥିଲେ । ଏହାଦ୍ୱାରା ବ୍ୟାପକ ସଂକ୍ରମଣ ଆଶଙ୍କା ରହିଥିବା ଅଭିଯୋଗ କରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏତଲା ଦେଇଛନ୍ତି। ପୁରୀ ଏସପି ଅଖିଳେଶ୍ୱର ସିଂ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି ।