କୋଇଡାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ଗଣୁଆଁ ବିଟ, ଅରାଘାଟ ଗ୍ରାମର ପାରମସାହିରେ ଗତକାଲି ପୁଣି ଏକ ୧୨ ବର୍ଷ ଦନ୍ତା ହାତୀର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଗତ ୧୩ ତାରିଖରେ ସଗଡଭଙ୍ଗା ମେଢାମାରୁଣୀ ସଂରକ୍ଷିତ ଜଙ୍ଗଲରେ ଏକ ମାଇ ହାତୀର ମୃତଦେହ ଗ୍ରାମବାସୀଙ୍କ ଜରିଆରେ ଠାବ ହୋଇଥିଲା। ଏହିପରି ସପ୍ତାହ ମଧ୍ୟରେ ଦୁଇ ଦୁଇଟି ହାତୀ ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସରକାର ହାତୀକୁ ସୁରକ୍ଷା ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କୋଇଡା ଅଞ୍ଚଳରେ କାହିଁକି ସପ୍ତାହରେ ଦୁଇ ଦୁଇଟି ହାତୀ ମୃତ୍ୟୁ ହେଉଛି ବଲି ବୁଦ୍ଧିଜିବୀ ମହଲରେ ଉଦବେଗ ପ୍ରକାଶ ପାଉଛି। ଏପଟେ ବନବିଭାଗ ତଦନ୍ତ କରୁଥିବା କଥା କହୁଥିବା ବେଳେ ମାଇ ହାତୀର ମୃତ୍ୟୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯନ୍ତ କାରଣ ଲୋକଲୋଚନକୁ ଆସି ପାରି ନାହିଁ। ତେବେ ଆଜି ପୁଣି ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ ଅଞ୍ଚଳ ଲୋକଙ୍କ ନିଦ ହଜାଇଛି । ହାତୀ ଅବସ୍ଥା ଦେଖି ଅନୁମାନ କରାଯାଉଛି ଯେ ହାତୀମାନଙ୍କୁ ଆନ୍ଥ୍ରାସ ରୋଗ ବ୍ୟାପି ଏହି ଭଳି ମୃତ୍ୟୁ ଘଟି ଚାଲିଛି । ଯେଉଁ ରୋଗ ସଂସ୍ପର୍ଶରେ ଆସି ଖୁବ୍ ଶୀଘ୍ର ଅନ୍ୟ ବନ୍ୟ ଜନ୍ତୁମାନଙ୍କୁ ସଂକ୍ରମଣ କରିବା ସମ୍ଭାବନା ରହିବା ସହିତ ଧୀରେ ଧୀରେ ମଣିଷ ଶରୀରକୁ ମଧ୍ୟ ବ୍ୟାପି ପାରେ ।
ଘଟଣାସ୍ଥଳରେ ବଣାଇଁ ବନଖଣ୍ଡ ଅଧିକାରୀ ( ଡି ଏଫ୍ ଓ ) ସନତ୍ କୁମାର ଏନ୍. ସହିତ ଏସିଏଫ୍ ମହେନ୍ଦ୍ର ନାଥ, କୋଇଡା ବନାଞ୍ଚଳ ଭାର ପ୍ରାପ୍ତ ଅଧିକାରୀ ନବୀନ ପ୍ରଧାନ ପ୍ରମୁଖ ମିଶି ମୃତ୍ୟୁର କାରଣ ଖୋଜିବା ପାଇଁ ତନାଘନା ଜାରି ରଖିଥିଲା ବେଳେ କୋଇଡା ପ୍ରାଣୀ ଚିକିତ୍ସାଳୟର ଡ଼ଃ ନୀଳମାଧବ ସାହୁ ହାତୀର ରକ୍ତ ନମୁନା ନେଇ ପରୀକ୍ଷା ପାଇଁ ପଠାଇଛନ୍ତି ।

Leave a comment