ଚୀନକୁ ୧୩ ଚମରୀ ଗାଈ ଓ ୪ ବାଛୁରୀ ହସ୍ତାନ୍ତର କଲା ଭାରତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଦାଖରେ ଭାରତ-ଚୀନ୍ ସୀମା ବିବାଦ ସତ୍ତେ୍ୱ ଅଗଷ୍ଟ ୩୧ ତାରିଖରେ ଅରୁଣାଚଳ ପ୍ରଦେଶର ଲାଇନ୍ ଅଫ୍ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ଠାରେ ସୀମା ପାର୍ ହୋଇ ପଶି ଆସିଥିବା ଚୀନର ୧୩ଟି ଚମରୀ ଗାଈ ଓ ୪ଟି ବାଛୁରୀକୁ ଭାରତ ଚୀନକୁ ହସ୍ତାନ୍ତର କରିଛି। ଏ ନେଇ ଭାରତୀୟ ସେନା ପକ୍ଷରୁ ଟ୍ୱିଟ୍ ଯୋଗେ କୁହାଯାଇଛି, ‘ମାନବିକତା ପ୍ରଦର୍ଶନ କରି ଭାରତୀୟ ସେନା ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗରେ ଅଗଷ୍ଟ ୩୧ ତାରିଖରେ ଏଲଏସି ଠାରେ ପଶି ଆସିଥିବା ୧୩ଟି ଚମରୀ ଗାଈ ଓ ୪ଟି ବାଛୁରୀକୁ ସେପ୍ଟେମ୍ବର ୭ ତାରିଖରେ ଚୀନକୁ ହସ୍ତାନ୍ତର କରିଛି। ଭାରତୀୟ ସେନାର ମାନବିକତା ପାଇଁ ଚୀନର ଅଧିକାରୀମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଲଦାଖର ପାଙ୍ଗୋଙ୍ଗ ସୋ ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ସୋମବାର ବିଳମ୍ବିତ ରାତିରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଗତ ଅଗଷ୍ଟ ୨୯-୩୦ ତାରିଖରେ ଲଦାଖରେ ଭାରତୀୟ ଅଞ୍ଚଳ ଦଖଲ କରିବାକୁ ଚୀନ୍ର ସେନାର ଉଦ୍ୟମକୁ ବିଫଳ କରିଥିଲା ଭାରତ। ଇତି ମଧ୍ୟରେ ଅରୁଣାଚଳ ପ୍ରଦେଶରେ ଏକ ସୀମାନ୍ତ ଗାଁର ୫ ଜଣ ସ୍ଥାନୀୟ ଲୋକ ନିଖୋଜ ହୋଇଯାଇଥିବା ବେଳେ ସେମାନେ ଚୀନରେ ରହିଥିବା ମଙ୍ଗଳବାର ଜଣାପଡିଛି। ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ସେମାନଙ୍କୁ ଅପହରଣ କରି ନେଇଥିବା ପୂର୍ବରୁ ଅରୁଣାଚଳ ପୁଲିସ କହିଥିଲା।