ଗଞ୍ଜେଇ ଚାଲାଣକାରୀଙ୍କ ମାଡରେ ହୋମଗାର୍ଡ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାଲକାନଗିରି ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଗଞ୍ଜେଇ ଚାଲାଣ କରୁଥିବା ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଜଣଙ୍କ ବାଲିମେଳା ଥାନାର ବନବାସୀ ମହାରଣା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟା,ଗତକାଲି ରାତିରେ କିଛି ଦୁର୍ବୃତ୍ତ ଚିତ୍ରକୋଣ୍ଡାରୁ ଭାରରେ ଗଞ୍ଜେଇ ନେଇ ଜଙ୍ଗଲ ରାସ୍ତାଦେଇ ଛତିଶଗଡ଼କୁ ଯାଉଥିବା ସମ୍ପର୍କରେ ବାଲିମେଳା ପୁଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା। ପୁଲିସର ସୂଚନା ଅନୁସାରେ ୭୦ରୁ ଅଧିକ ଲୋକ ଭାରରେ ଗଞ୍ଜେଇ ବୋହି ନେଉଥିଲେ। ଏହାପରେ ବାଲିମେଳା ଓ ମାଥୁରି ମରେ ପୁଲିସ୍ କର୍ମଚାରୀମାନେ ଚାଉଳିମେନ୍ଦି ନିକଟରେ ଉକ୍ତ ଚାଲାଣକାରୀଙ୍କୁ ଅଟକାଇଥିଲେ। ସେଠାରେ ଗଞ୍ଜେଇ ଚାଲାଣକାରୀମାନେ ପୁଲିସ୍ ଉପରକୁ ପାଲଟା ଆକ୍ରମଣ କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ହୋମଗାର୍ଡ ବନବାସୀ ମହାରଣାଙ୍କୁ ଘେରିଯାଇ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲ। ଏହାପରେ ବନବାସୀ ମହାରଣାଙ୍କୁ ଗୁରୁତର ଅବସ୍ଥାରେ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ଧାର ରାତିଥିବାରୁ ଘଟଣାସ୍ଥାଳରୁ ଗଞ୍ଜେଇ ଚାଲାଣକାରୀମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି।

Leave a comment