ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇ- ‘ନରେନ୍ଦ୍ର ମୋଦୀଙ୍କୁ ହତ୍ୟା’- ମାତ୍ର ଏଇ ତିନିଟି ଶବ୍ଦ ଲେଖାଥିବା ଏକ ଇ-ମେଲ୍ ନ୍ୟାସନାଲ ଇଭେଷ୍ଟିଗେଟିଭ୍ ଏଜେନ୍ସି (ଏନ୍ଆଇଏ) ବା ଜାତୀୟ ତଦନ୍ତକାରୀ ସଂସ୍ଥାର ହସ୍ତଗତ ହେବାପରେ ଏବେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଖିରୁ ନିଦ ହଜିଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନ୍ୟ କେତେକ କେତେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଇ-ମେଲ୍ ଜରିଆରେ ହତ୍ୟାଧମକ ଦିଆଯାଇଥିବା ଏନ୍ଆଇଏ ଜାଣିବା ପରେ ଏସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏ ବାବଦରେ ଅବଗତ କରାଇଛି। ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଘୋଷଣା କରୁଥିବା ଅଗଷ୍ଟ ୮ ତାରିଖର ଏହି ଇ-ମେଲ ମିଳିବା ପରେ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଦାୟିତ୍ୱରେ ଥିବା ଏଜେନ୍ସଗୁଡ଼ିକ ମଧ୍ୟରେ ଏବେ ସତର୍କ ଘଣ୍ଟି ବଜିଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏସ୍ପିଜି ସୁରକ୍ଷା ବଳୟକୁ ଆହୁରି ଅଧିକ ବଢ଼ାଇ ଦିଆଯିବା ସହ କଡ଼ାକଡ଼ି ମଧ୍ୟ କରାଯାଇଥିବା ଜାଣିବାକୁ ମିଳିଛି।
ପ୍ରାଥମିକ ଅନୁସନ୍ଧାନ ପରେ ସଂପୃକ୍ତ ଇ-ମେଲ୍ଟି ଦେଶ ବାହାରୁ ଆସିଥିବା ଜଣାପଡ଼ିବା ପରେ ଏସଂପର୍କରେ ଅଧିକ ତଦନ୍ତ କରିବା ପାଇଁ ଏନ୍ଆଇଏ, ଆର୍ଆଣ୍ଡ୍ଏଡବ୍ଲୁ, ମଲ୍ଟି-ଏଜେନ୍ସି କୋଅର୍ଡିନେସନ୍ ସେଣ୍ଟର୍, ଇଣ୍ଟେଲିଜେନ୍ସ୍ ବ୍ୟୁରୋ, ଡିଫେନ୍ସ ଇଣ୍ଟେଲିଜେନ୍ସ୍ ଏଜେନ୍ସିର ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିବା ଜାଣିବା ପାଇଁ ମିଳିଛି।