ସାରା ରାଜ୍ୟରେ ପ୍ରବଳ ବର୍ଷା,୧୯ ଟି ଜିଲ୍ଲାରେ ସତର୍କ ସୂଚନା ଜାରି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସମ୍ୱେଦନଶୀଳ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ରୋଗ ପ୍ରତିଷେଧକ ଔଷଧ,ହାଲୋଜିନ୍ ଟାବ୍ଲେଟ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ରଖିବା ସହ ଦୁର୍ଗମ ଅଞ୍ଚଳର ସମସ୍ତ ଆସନ୍ନ ପ୍ରସବା ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ମାନଙ୍କୁ
ରାଜ୍ୟ ସରକାର ନିଦ୍ଦେର୍ଶ ଦେଇଛନ୍ତି। ଦୁଗର୍ମ ଅଞ୍ଚଳର ଯେଉଁ ମହିଳାମାନେ ଆସନ୍ତା ୧୫ ଦିନ ମଧ୍ୟରେ ସନ୍ତାନ ପ୍ରସବ କରିବାର ସମ୍ଭାବନା ରହିଛି ସେମାନଙ୍କୁ ନିକଟସ୍ଥ ମାତୃତ୍ୱ ପ୍ରତୀକ୍ଷା ଗୃହକୁ ସ୍ଥାନାନ୍ତର କରିବା ପାଇଁ ନିଦ୍ଦେର୍ଶ ଦେବାସହ ଆଜିଠାରୁ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲି ଜଣେ ଲେଖାଏ ଅଫିସର୍ଙ୍କୁ ସ୍ୱାସ୍ଥ୍ୟସେବା ନିମନ୍ତେ ନୋଡାଲ୍ ଅଫିସର୍ ଭାବେ ନିଯୁକ୍ତ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।
ରାଜ୍ୟର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ପ୍ରଶାସନ ଆସନ୍ତା ୨୪ତାରିଖରେ ବନ୍ୟାଜଳ ଛାଡିବା ନେଇ ନିଷ୍ପତି ନେଇଛି । ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଟ୍ରାକ ନଷ୍ଟ ହୋଇଯିବା ଫଳରେ ହୀରାଖଣ୍ଡ ସମେତ ଅନେକ ଟ୍ରେନ ଅଟକି ରହିଛି । ରାୟଗଡା କଲ୍ୟାଣସିଂହପୁର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ବୋଲି ଜଣାପଡିଛି । ଅନ୍ୟପଟେ ମାଲକାନଗିରିରେ ବି ପ୍ରବଳ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିବଥିବାରୁ ଜୟପୁର-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । କଳାହାଣ୍ଡିରେ ବି ପ୍ରବଳ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଉପକୂଳ ଅସ୍ତରଙ୍ଗ ଅଞ୍ଚଳ ଜଳମଗ୍ନ ହୋଇପଡିବା ସହ ସମୁଦ୍ରରେ ପ୍ରାୟ ୩ଫୁଟ ଉଚ୍ଚର ଜୁଆର ଉଠୁଛି ।