ଝଲସିବ ଶ୍ରୀମନ୍ଦିର , ରୂପାରେ ଛାଉଣୀ ହେବ କବାଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରର ୭ଟି ଦ୍ୱାର ରୂପାରେ ଛାଉଣୀ ହେବ। ବଡ ଦେଉଳର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ। ମହାପ୍ରଭୁଙ୍କ ଜଣେ ଭକ୍ତ ଏହିସବୁ ରୂପା ଦାନ କରିବେ। ମନ୍ଦିରର ସିଂହଦ୍ୱାର, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର ଏବଂ ବଡ ଦେଉଳର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆ କରି ତିଆରି ହେବ। ଏହି ସବୁ ଦ୍ୱାର ବର୍ମାରୁ ଆସି ପିଆଶାଳ‌ କାଠରେ ତିଆରି କରାଯିବ ବୋଲି କୁହାଯାଉଥିବା ବେଳେ କବାଟ ଉପରେ ରୂପାର ଚାଦର ଆଚ୍ଛାଦିତ କରାଯିବ। ଶ୍ରୀମନ୍ଦିରର ଏହିସବୁ ଦ୍ୱାରରେ ପ୍ରାୟ ୧ କ୍ୱିଂଟାଲରୁ ଅଧିକ ରୂପା ଲାଗିବ। ରାଜସ୍ଥାନର କାରିଗରମାନେ ଏହାର ଡିଜାଇନ୍‌ କରିବେ।
ପ୍ରଥମ ପର୍ଯ୍ୟାୟରେ ୩ଟି ଦ୍ୱାରର କାମ କରାଯିବ । ଯଥା, ଗର୍ଭଗୃହ ସଂଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ୱାରର ମରାମତି କାମ କରାଯିବ । ଏହି କାମ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ପରିଚାଳନା କମିଟି ସଦସ୍ୟ କହିଛନ୍ତି । ମନ୍ଦିର ଦ୍ୱାର ଓ କବାଟ ମରାମତି କାମର ତଦାରଖ ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ।

Leave a comment