ଓଡ଼ିଶାରେ ୬ ନୂଆ ମେଡିକାଲ୍ କଲେଜର ନିର୍ମାଣ ଚାଲିଛି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବିଗତ ୬ ବର୍ଷ ମଧ୍ୟରେ ଓଡ଼ିଶାରେ ୬ଟି ମେଡିକାଲ୍ ସମେତ ସାରାଦେଶରେ ୧୫୦ଟି ନୂଆ ମେଡିକାଲ୍ କଲେଜ ନିର୍ମାଣ କରିବାର କାମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ମୋଦୀ ସରକାର ଭାରତକୁ ଆୟୁଷ୍ମାନ କରିବା ପାଇଁ ବଜେଟରେ ପ୍ରତିବର୍ଷ ଅଧିକ ଅର୍ଥ ବ୍ୟୟବରାଦ କରୁଛନ୍ତି। ଚଳିତ ଦଶନ୍ଧି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ସର୍ବାଧିକ ବଜେଟ୍ ବ୍ୟୟବରାଦ ମୋଦୀ ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଥିବା ପ୍ରାଥମିକତାକୁ ଦର୍ଶାଉଛି । ୨୦୨୦-୨୧ ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୬୯ ହଜାର କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରାଯାଇଛି,ଏହା ୨୦୧୦-୧୧ ପାଇଁ ବଜେଟରେ ବ୍ୟୟବରାଦ୍ ହୋଇଥିବା ୨୨,୩୦୦ କୋଟି ଟଙ୍କାର ପ୍ରାୟ ତିନିଗୁଣା ଅଧିକ।
ସେ କହିଛନ୍ତି ଦେଶରେ ୫୦୦୦ ଜନ ଔଷଧୀ କେନ୍ଦ୍ରଗୁଡ଼ିକରେ ୮୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଜେନେରିକ୍ ଔଷଧ ଉପଲବ୍ଧ ଥିବାବେଳେ ଓଡ଼ିଶାର ଥିବା ଏହି ୧୯୮ କେନ୍ଦ୍ର ଦ୍ୱାରା ଲକ୍ଷାଧିକ ଗରିବ ଲୋକ ଉପକୃତ ହୋଇପାରିଛନ୍ତି। ଏହାସହ ଗରିବଙ୍କ ପାଇଁ ଷ୍ଟେଣ୍ଟ୍ ପରି ମେଡିକାଲ ଉପକରଣଗୁଡ଼ିକର ମୂଲ୍ୟକୁ ନିର୍ଦ୍ଧାରଣ କରାଯାଇଛି। ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ସେ ସ୍ୱାସ୍ଥ୍ୟ ସେବାରେ ଆର୍ôଥକ ବ୍ୟବସ୍ଥା କରିବା ପାଇଁ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ କରିଛନ୍ତି। ଅପରପକ୍ଷରେ ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ସାରାଦେଶର ୫୨୮ ଜିଲ୍ଲାର ୩.୧୫ କୋଟିରୁ ଊର୍ଦ୍ଧ୍ୱ ଶିଶୁ ଏବଂ ୮୦ ଲକ୍ଷ ଗର୍ଭବତୀ ମହିଳାଙ୍କ ଟିକାକରଣକୁ ସୁନିଶ୍ଚିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୫.୧୮ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ଏବଂ ୧.୪୪ ଲକ୍ଷ ଗର୍ଭବତୀ ମହିଳାଙ୍କ ଟିକାକରଣ କରାଯାଇଛି। ଶ୍ରୀ ପ୍ରଧାନ କହିଛନ୍ତି ଭୁବନେଶ୍ୱର ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପାଇଁ ଓଡ଼ିଶା ସବୁବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ପ୍ରତି ଚିରକୃତଜ୍ଞ ରହିବ। ତାଙ୍କର ଦୂରଦୃଷ୍ଟିକୁ ଆଗେଇ ନେବା ପାଇଁ ମୋଦୀ ସରକାର ପ୍ରତି ରାଜ୍ୟରେ ଏମ୍ସ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ କରୁଛନ୍ତି । କୋଭିଡ-୧୯ ମୋଦୀ ସରକାରଙ୍କ ନିରନ୍ତର ସ୍ୱାସ୍ଥ୍ୟସେବା ସୁବିଧାକୁ ଅଧିକ ଉନ୍ନତ କରିବା ପାଇଁ ସହାୟକ ହୋଇଛି। କରୋନା ଭାଇରସର ପ୍ରାରମ୍ଭରେ ଦେଶରେ ଗୋଟିଏ କୋଭିଡ୍ ପରୀକ୍ଷଣ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ୧୫୦୦ ଟି ଲ୍ୟାବ୍ ସ୍ଥାପନ କରାଯାଇ ଦୈନିକ ୧୦ ଲକ୍ଷ ପରୀକ୍ଷା କରାଯାଉଛି। ପ୍ରଧାନମନ୍ତ୍ରୀ କୋଭିଡ୍-୧୯ ବିରୋଧୀ ଲଢ଼େଇରେ ଦେଶକୁ ଏକାଠି କରି ଏହାକୁ ଜନକୈନ୍ଦ୍ରିକ କରିପାରିଛନ୍ତି। ଏହି ଉଦ୍ୟମରେ ‘ଯୋଗ’ ବିଶ୍ୱବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ପାରମ୍ପରିକ ‘ଆୟୁର୍ବେଦ ପ୍ରଣାଳୀ’ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ତଥା କରୋନା ରୋଗୀ ସୁସ୍ଥ ହେବା ପରେ ସହାୟକ ହୋଇଛି। ଯେତେବେଳେ ଅନେକ ଦେଶ ଏକାସାଙ୍ଗରେ “ଟିକା ଜାତୀୟତାବାଦ”ର ପ୍ରଚାର କରୁଛନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ “ବସୁଧୈବ କୁଟୁମ୍ବକମ୍”ର ଅନୁସରଣ କରି ପଡ଼ୋଶୀ ରାଷ୍ଟ୍ର ସମେତ ଅନ୍ୟାନ୍ୟ ଦେଶକୁ ଔଷଧ ଏବଂ କିଟ୍ ଯୋଗାଇ ମହାମାରୀ ବିରୋଧୀ ଲଢ଼େଇରେ ସାହାଯ୍ୟ କରିପାରିଛି ବୋଲି ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି।

Leave a comment