ଟିଟୋ ର ୪ ସହଯୋଗୀ ଗିରଫ,ସିବିଆଇ ତଦନ୍ତ ଦାବି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟିଟୋ ର ସାମ୍ରାଜ୍ୟ କୁ ଧ୍ବଂସ କରିବାରେ ଲାଗିପଡିଛି କ୍ରାଇମ୍ବ୍ରାଞ୍ଚ। ଦୁଇ ଦିନ ତଳେ କ୍ରାଇମ୍ବ୍ରାଞ୍ଚ ର ଏସ୍ଟିଏଫ୍ ର ୧୦ ଟି ଟିମ୍ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଟିଟୋ ର ୮ ଜଣ ସହଯୋଗୀଙ୍କୁ ରାତି ଅଧିଆ ଉଠାଇ ନେଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆଜି ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ । ଅଭିଯୁକ୍ତମାନେ ହେଲେ ଗୋଲ୍ଡେନ୍ ପପୁ, ଅବଦୁଲା, ଇମ୍ତିଆଜ୍ ଖାଁ ଏବଂ ଜାହାଙ୍ଗିର ଖାଁ। ଅଭିଯୁକ୍ତ ଗୋଲ୍ଡେନ୍ ପପୁ ଯେ କି ଟିଟୋର ଜଣେ ପ୍ରମୁଖ ସହଯୋଗୀ ଏବଂ ତା ନାଁରେ ୧୦ରୁ ଅଧିକ ହତ୍ୟା ମାମଲା ଥିବା ଜଣାପଡିଛି। ଏମାନଙ୍କ ନାଁରେ ଦାଦାବଟି , ଗୁଳିମାଡ଼, ବୋମାମାଡ,ଟେଣ୍ଡେର ଫିକ୍ସିଂ ଆଦି ଅନେକ ଅପରାଧିକ ମାମଲା ରଜ୍ଜୁ ଥିବାର ଜଣାପଡିଛି । ଅନ୍ୟ ୪ ଜଣ ଙ୍କୁ ଅଟକ ରଖି ଟିଟୋ ସହ ସେମାନଙ୍କ ଲିଙ୍କ କୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ।
ଟିଟୋର ପେଟ୍ରୋଲ ପମ୍ପ ଆବଣ୍ଟନ କୁ ନେଇ ସିବିଆଇ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ର ଏସ୍ଟିଏଫ୍ ଟିମ ସୁପାରିଶ କରିଛି। ଏବଂ କିଭଳି ଓ କେଉଁ ପରିସ୍ଥିତିରେ ସୟଦ ବ୍ରଦର୍ସ ଫିଲିଂ ଷ୍ଟେସନ ଓ ପାରାଦୀପ କୋକୋ ପେଟ୍ରୋଲ ଟାଙ୍କି ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତି କୁ ମିଳିଲା ଏହାର ତଦନ୍ତ ସିବିଆଇ ତଦନ୍ତ ପାଇଁ ଦାବି କରିଛି।