ଲକଡାଉନବେଳେ ଖୋଲିବ ବ୍ୟାଙ୍କ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲକଡାଉନବେଳେ ଖୋଲା ରହିବ ବ୍ୟାଙ୍କ । କିନ୍ତୁ ବ୍ୟାଙ୍କର କର୍ମଚାରୀଙ୍କର ସଂଖ୍ୟା ୨୫ ପ୍ରତିଶତରୁ ଅଧିକ ହେବ ନାହିଁ । କଟକ ଭୁବନେଶ୍ୱର କମିଶନରେଟ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏବାବଦରେ ସୂଚନା ଦେଇଛନ୍ତି । ଏଥିପାଇଁ ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କକୁ ଯିବାବେଳେ ପରିଚୟ ପତ୍ର ସାଙ୍ଗକୁ ବ୍ୟାଙ୍କ ମ୍ୟାନେଜରଙ୍କ ଲିଖିତ ପତ୍ର (ଯେଉଁଥିରେ ୨୫ ପ୍ରତିଶତ କର୍ମଚାରୀ ତାଲିକାରେ ଆପଣଙ୍କ ନାମ ଥିବ) ପୁଲିସ କର୍ମଚାରୀଙ୍କୁ ଦେଖାଇବେ । ଏହା ବ୍ୟତୀତ ଯେଉଁମାନଙ୍କୁ ବ୍ୟାଙ୍କ ମ୍ୟାନେଜର ଡାକି ନାହାଁନ୍ତି ସେମାନେ ଆସିବେ ନାହିଁ । ଏହି ଅନୁମତି ପତ୍ର କେବଳ ଘରୁ ବ୍ୟାଙ୍କକୁ ଯିବା ପାଇଁ ଓ ବ୍ୟାଙ୍କରୁ ଘରକୁ ଯିବା ପାଇଁ ପ୍ରଯୁଜ୍ୟ ହେବ । କମିଶନର ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କ କର୍ମଚାରୀ ଏହାକୁ ବ୍ୟବହାର କରି ପନିପରିବା କିଣିବେ ନାହିଁ କି ବନ୍ଧୁ ସମ୍ପର୍କୀୟଙ୍କୁ ଭେଟିବେ ନାହିଁ। ସେହିପରି ଇନ୍ସ୍ୟୁରାନ୍ସ ଅଫିସ ସବୁ ବନ୍ଦ ରହିବ । ସେହିପରି ଆଇଟି କମ୍ପାନୀମାନେ କେବଳ ୧୦ ପ୍ରତିଶତ କର୍ମଚାରୀମାନଙ୍କୁ ଅଫିସକୁ ଡାକିପାରିବେ । ଅନ୍ୟ କର୍ମଚାରୀମାନେ ଘରୁ କାମ କରିପାରିବେ । ଯଦି କର୍ମଚାରୀଙ୍କ ଉଦ୍ଦିଷ୍ଟ ସଂଖ୍ୟାରୁ ଅଧିକ କର୍ମଚାରୀ ଆସନ୍ତି ତେବେ ଅନୁମତିକୁ ବିରୋଧ କରୁଛନ୍ତି ବୋଲି ଧରାଯିବ।
ଯେଉଁମାନେ ସରକାରୀ କର୍ମଚାରୀ ଅଛନ୍ତି ସେମାନେ ନିଜର ପରିଚୟ ପତ୍ର ବ୍ୟବହାର କରିବେ ଓ ଏକ ମୋବିଲାଇଜେସନ ଲେଟର ମଧ୍ୟ ଦେଖାଇବାକୁ ପଡିବ । ସେହିପରି ଭୁବନେଶ୍ୱର ସହର ବାହାରକୁ କେହି ଯିବେ ନାହିଁ କି ସହର ଭିତରକୁ କେହି ଆସିବେ ନାହିଁ । ଯଦି ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଆସୁଥାନ୍ତି ତେବେ ଆପଣଙ୍କୁ ପାସ ଆବଶ୍ୟକ । ଯିଏ ପାସ ଚାହିଁବେ ସେମାନେ ପୁଲିସ କଣ୍ଟ୍ରୋଲ ରୁମ ୧୦୦କୁ କଲ କରିପାରିବେ ଓ ଏସଏମଏସ ମାଧ୍ୟମରେ ପାସ ପାଇପାରିବେ ।