ସସ୍ମିତ, ମାନସ, ବିଜୟ, ପ୍ରମୋଦଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ । ବିଜୁ ଜନତା ଦଳ ବର୍ତ୍ତମାନ ନିଜକୁ ଅଧିକ ପ୍ରତିଷ୍ଠିତ ଓ ମଜଭୁତ କରିବା ପ୍ରୟାସ ଆରମ୍ଭ କରିଛି । ତେଣୁ ପୂର୍ବରୁ ଯେଉଁମାନେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ ଏବଂ ପଞ୍ଚମ ପାଳି ନବୀନ ସରକାର ଗଠନରେ ସହଯୋଗ କରିଥିଲେ ସେମାନଙ୍କ ଉପରେ ନବୀନ ପୁନର୍ବାର ଆସ୍ଥା ପ୍ରକଟ କରିବା ସହ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ସାଂସଦ ସସ୍ମିତ ପାତ୍ର ଯେକି ପୂର୍ବରୁ ଜଣେ ଜଣାଶୁଣା ବିଜେଡି ମୁଖପାତ୍ର ଦାୟିତ୍ୱ ନିର୍ବାହ କରିସାରିଛନ୍ତି ତାଙ୍କ ଉପରେ ଦଳର ସଭାପତି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ପାତ୍ର “ଓଡ଼ିଶା ମୋ ପରିବାର” କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇବେ ।

ସେହିପରି ୨୦୧୯ ନିର୍ବାଚନ ସମୟରେ ମିଡିଆ ସେଲ ଦାୟିତ୍ୱରେ ଥିବା ମାନସ ମଙ୍ଗରାଜଙ୍କ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ଆସ୍ଥା ରଖିଛନ୍ତି । ଶ୍ରୀ ମଙ୍ଗରାଜଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି । ତାଙ୍କୁ ମିଡିଆ ଆଫେଆର ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ମଙ୍ଗରାଜ ମିଡିଆ ମାଧ୍ୟମରେ ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକ୍ରମ ରାଜ୍ୟର ସାଧାରଣ ଜନତାଙ୍କ ପାଖକୁ ପହଞ୍ଚେଇବାରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଛନ୍ତି ।

ବିଜୟ କୁମାର ନାୟକ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧକ୍ଷ ଜଣେ ଜଣାଶୁଣା ବିଜେଡିର ଭଲ ସଙ୍ଗଠକ । ମୁଖ୍ୟମନ୍ତ୍ରୀ ଶ୍ରୀ ନାୟକଙ୍କ ଉପରେ ନିଜ ଆସ୍ଥା ପ୍ରକଟ କରି ସାଧାରଣ ସମ୍ପାଦକ ଭାବେ ସ୍ଥାପିତ କରିବା ସହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଉନ୍ନତିକରଣ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସେହିପରି ପାରାଦୀପର ପ୍ରମୋଦ କିଶୋର ଜେନାଙ୍କୁ ମଧ୍ୟ ଦଳର ସଭାପତି ନବୀନ ବାବୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ଜେନା ପାରାଦୀପ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେବା ସହ ୨୦୧୪ ନିର୍ବାଚନ ରେ କଂଗ୍ରେସ ତରଫରୁ ପ୍ରାର୍ଥୀ ଥିଲେ । ଶ୍ରୀ ଜେନା ୨୦୧୯ ରେ ବିଜେଡ଼ିରେ ଯୋଗଦେବା ସହ ପାରାଦୀପ ଓ ଜଗତସିଂହପୁର ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ପରିବେଶ ସମ୍ୱନ୍ଧୀୟ ଦାୟିତ୍ୱ ପ୍ରଦାନ କରିଛନ୍ତି ।

Leave a comment