ରଥଯାତ୍ରା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରା ପୂର୍ବର ବଡ଼ ପରମ୍ପରା ତିନି ରଥ ପାଇଁ ଆଜ୍ଞାମାଳ ପ୍ରଦାନ କରାଯାଇଛି । ଏଥିସହ ପାରମ୍ପରିକ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ସୁପ୍ରିମ୍ କୋର୍ଟଙ୍କ ରାୟ ଆସିଲା ପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତତ୍ପର ହୋଇଛନ୍ତି । ସଂଧ୍ୟା ୫ଟାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଡକାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ ।
ଗତକାଲିଠାରୁ ହିଁ ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ଜୋରଦାର ହୋଇଛି । ବିଳମ୍ବିତ ରାତିରେ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଏବଂ ଡିଆଇଜି ଆଶିଷ ସିଂ ରଥଖଳା ବୁଲି ରଥଯାତ୍ରା ପ୍ରସ୍ତୁତିର ତଦାରଖ କରିଥିବା ବେଳେ ସକାଳୁ ମୁଖ୍ୟ ପ୍ରଶାସକ ଘନ ଘନ ବୈଠକ କରି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ସଂଧ୍ୟା ସୁଦ୍ଧା ସବୁ ଦୋକାନ ଖାଲି କରିବାକୁ ମୁ୍ୟନିସିପାଲିଟି ପକ୍ଷରୁ ନିଦେ୍ର୍ଦଶ ଯାଇ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଉଛି ।
ସୋମବାର ସଂଧ୍ୟାରେ ମୁଖ୍ୟଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏବଂ ଡିଜିପି ଶ୍ରୀ ଅଭୟ ପୁରୀ ଆସି ରଥଯାତ୍ରା ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି । ସେହିଭଳି ସଂଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗର ବୈଠକ ବସୁଛି । ସୁୁପ୍ରିମ୍ କୋର୍ଟଙ୍କ ଆଦେଶ ପାଳନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ମଧ୍ୟ ରଥଯାତ୍ରା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା କହିଛନ୍ତି ।
କୋଭିଡ୍ କଟକଣା ଭିତରେ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବାକୁ ଉଭୟ ପ୍ରଶାସନ ଓ ସେବାୟତମାନେ ଦୃଢ଼ ଆଶା ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦେ୍ର୍ଦଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ସହିତ ରଥଯାତ୍ରା ବ୍ୟବସ୍ଥା ନେଇ କଥା ହୋଇଛନ୍ତି।
ସୂଚନା ଅନୁଯାୟୀ, ରଥ ଟାଣିବାକୁ ଥିବା ସେବାୟତ ଓ ପୁଲିସ କର୍ମଚାରୀଙ୍କ ତାଲିକା ପୂର୍ବରୁ ପ୍ରସ୍ତୁତି ହୋଇସାରିଛି । ସେମାନଙ୍କର କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଯାଇଛି । ବିନା ଭକ୍ତରେ ରଥଯାତ୍ରାର ଯାବତୀୟ ପ୍ରସ୍ତୁତି ସରିଥିବାରୁ ଆସନ୍ତାକାଲି ସୁରୁଖୁରୁରେ ଏହା ସମ୍ପନ୍ନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସେବାୟତମାନେ ଦୃଢ଼ ଆଶା ରଖିଛନ୍ତି ।
ପୂର୍ବରୁ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ବିନା ଭକ୍ତରେ କୋଭିଡ୍ କଟକଣା ଭିତରେ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ରଥଯାତ୍ରା ପାଇଁ ପ୍ରଶାସନର ଆତ୍ମବିଶ୍ୱାସ ବଢ଼ିଛି । ଏହାକୁ ସୁରୁଖୁରୁରେ କରିବା ପାଇଁ ପ୍ରଶାସନ ପକ୍ଷରୁ ପୁରୀ ଜନସାଧାରଣଙ୍କ ସହଯୋଗ ଲୋଡାଯାଇଛି ।