ବିଶ୍ବ ରୂପରେଖ ବଦଳାଇବା ଚାହୁଛି ଚୀନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ବିଶ୍ବକୁ ସମ୍ପ୍ରତି ଘାରି ରହିଥିବା ମହାମାରୀ କୋଭିଡ୍–୧୯ ସଂକଟକୁ ଭିତ୍ତି କରି ମହତ୍ବାକାଂକ୍ଷୀ ଚୀନ୍ ନିଜର ସ୍ଥିତିକୁ ଆହୁରି ସମ୍ପ୍ରସାରିତ କରିବାକୁ ଚାହୁଛି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତିା ବିଭିନ୍ନ ସୀମାବିବାଦରେ ପ୍ରତିପକ୍ଷଙ୍କୁ ନିଶାଣ କରି ଚୀନ୍ ଏଭଳି ବିଶ୍ବ ରୂପରେଖକୁ ବଦଳାଇବାର ସ୍ବପ୍ନକୁ ସାକାର କରିବା ଦିଗରେ ଆଗଭର ଥିବା ଚର୍ଚ୍ଚାର ବିଷୟ ହୋଇଛିା ବିଗତ କିଛି ମାସ ହେଲା ଚୀନର ଅନୁରୂପ କାର୍ଯ୍ୟକଳାପ ହିଁ କୂଟନୈତିକ ବିଶ୍ଳେଷକମାନଙ୍କୁ ଚୀନ୍ ବିଷୟରେ ଏପରି ବିତର୍କ କରିବା ପାଇଁ ବାଧ୍ୟ କରିଛି।
ଚୀନର ଏପରି ବିଶ୍ବବିଜୟୀ ଜିଜ୍ଞାସାର ସଦ୍ୟ ଉଦାହରଣ ହେଉଛି ଭାରତ ସହ ଲଦାଖ ସୀମାରେ ମୁହାଁମୁହିଁ ହେବା ଘଟଣାା ପ୍ରକୃତ ନିୟନ୍ତ୍ରଣ ରେଖାକୁ ବଦଳାଇବା ଲାଗି ଚୀନ୍ ଏପରି ଯୋଜନାବଦ୍ଧ ଉଦ୍ୟମ କରିଛି ବୋଲି ପ୍ରତିପକ୍ଷ ଭାରତ ଅଭିଯୋଗ କରୁଛିା ତେବେ ଏପରି କରିବା ପଛରେ ଏହାର ମୂଳ କାରଣ ହେଉଛି ସୀମାରେ ଭାରତ ରାସ୍ତା ନିର୍ମାଣ ଭିତ୍ତିଭୂମିରେ ଉନ୍ନତି ଆଣିବା। ଗତ ଅଗଷ୍ଟରେ ଭାରତ ଜମ୍ମୁକାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ହଟାଇ ଏକ କେନ୍ଦ୍ରଶାସିତ ଅଂଚଳ କରିବା ଏବଂ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଡାର୍ବକ୍–ସାଇଅକ୍–ଦୌଲତବେଗ ରାସ୍ତାର ଉନ୍ନତୀକରଣ କରିବା ଦ୍ବାରା ଚୀନ୍ ଆଉ ସେହି ସୀମା ଅଂଚଳରେ ନିଜର ଦାବିକୁ ସୁଦୃଢ଼ କରିପାରିବନି ବୋଲି ଆଶଙ୍କା କରୁଛିା ସେହିପରି ଚୀନ୍–ପାକିସ୍ତାନ–ଅର୍ଥନୈତିକ–କରିଡର(ସିପିଇସି)ରେ ଚୀନ୍ ଖଟାଇଥିବା ଅର୍ଥର ସିଂହଭାଗ ପାକ୍ ଅଧିକୃତ କାଶ୍ମୀରରେ ରହିଥିବା ବେଳେ ସେହି ଅଂଚଳ ଉପରେ ଭାରତର ମଧ୍ୟ ଆଖି ରହିଥିବା ଚୀନ୍ ସନ୍ଦେହ କରି ଭାରତକୁ ଏପରି ନିଶାଣ କରୁଥିବା ଚର୍ଚ୍ଚା ହେଉଛିା ସେହିପରି ନିକଟରେ ଅଷ୍ଟ୍ରେଲିଆର ବିଭିନ୍ନ ପ୍ରାଶାସନିକ, ଔଦ୍ୟୋଗିକ, ଶିକ୍ଷା, ରାଜନୈତିକ ସଂଗଠନ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଭିତ୍ତିଭୂମି ଉପରେ ବୃହତ୍ ସାଇବର ଆକ୍ରମଣ ହୋଇଥିବା ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ସ୍ପଷ୍ଟ କରିଛନ୍ତି। ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ କାହାକୁ ଦାୟୀ କରାଯାଇନଥିଲେ ବି ସାଇବର ବିଶେଷଜ୍ଞମାନେ ଏପରି କୁତ୍ସିତ କାର୍ଯ୍ୟ ପାଇଁ ସିଧାସଳଖ ଚୀନକୁ ହିଁ ସନ୍ଦେହ କରିଛନ୍ତି। ମହାମାରୀ କୋଭିଡର ଉତ୍ପତ୍ତି ସମ୍ପର୍କରେ ଆନ୍ତର୍ଜାତିକ ତଦନ୍ତ ସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୁନରୁଦ୍ଧାର ପାଇଁ ଭାରତର ଦାବିକୁ ଅଷ୍ଟ୍ରେଲିଆ ସମର୍ଥନ କରୁଥିବାରୁ ଚୀନ୍ ଏପରି ସାଇବର ଆକ୍ରମଣ କରି ଦାଉ ସାଧିଥିବା ଅନୁମାନ କରାଯାଉଛିା
ସେହିପରି ମହାମାରୀ କୋଭିଡ୍ ପାଇଁ ସାରା ବିଶ୍ବ ଯୁଝି ହେଉଥିବା ବେଳେ ଦକ୍ଷିଣ ଚୀନ୍ ସାଗରରେ ବିଭିନ୍ନ ଦେଶ ସହ ସୀମା ବିବାଦ ଲଗାଇଥିବା ଚୀନ୍ ସେଠାରେ ନିଜର ଏକଚାଟିଆ ଆଧିପତ୍ୟକୁ ଜାହିର କରିବା ପ୍ରକ୍ରିୟା ଜାରି ରଖିଛିା ଦୁଇ ମାସ ତଳେ ମାଲେସିଆର ଏକ ତୈଳବାହୀ ଜାହାଜକୁ ଚୀନ୍ କର୍ତ୍ତୃପକ୍ଷ ଦକ୍ଷିଣ ଚୀନ୍ ସାଗର ଭିତରେ ନାନା ହରକତ କରିଥିଲେ। ଭିଏତନାମର ଏକ ଜାହାଜକୁ ଚୀନ୍ ତଟରକ୍ଷୀ ବାହିନୀ ଧ୍ବଂସ କରିବାର କେଇ ମାସ ପରେ ଗତ ୧୦ ତାରିଖରେ ପାରାସେଲ ଦ୍ବୀପ ନିକଟରେ ଆଉ ଏକ ଜାହାଜକୁ ବୁଡ଼ାଇ ଦେଇଛିା ଫିଲିପାଇନସ ଦ୍ବାରା ନିୟନ୍ତ୍ରିତ ଥିଟୁ ଦ୍ବୀପ ନିକଟରେ ସଂଖ୍ୟାଧିକ ଚୀନୀ ଜାହାଜ ପଇଁତରା ମାରୁଥିବା ଦେଖିବାକୁ ମିଳିଛିା ସେହିପରି ଜାପାନ ଦ୍ବାରା ନିୟନ୍ତ୍ରିତ ସେଙ୍କାକୁ ଦ୍ବୀପକୁ ଚୀନ୍ ଲଗାତାର ୬୬ ଦିନ ଧରି ନିଜର ଜାହାଜ ପଠେଇବା ଦ୍ବାରା ସେଠାରେ ନିଜର ଅଧିକାର ସାବ୍ୟସ୍ତ କଲା ଭଳି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛିା
ଅପରପକ୍ଷେ, ସ୍ବତନ୍ତ୍ର ପ୍ରାଶାସନିକ କ୍ଷମତା ପାଇଥିବା ହଂକଂର ନାଗରିକମାନଙ୍କୁ ଚୀନ୍ ଭୂଖଣ୍ତକୁ ବିଦା କରିବା ଲାଗି ଜିନ୍ ପିଙ୍ଗ୍ ସରକାର ଗତବର୍ଷ ଆଣିଥିବା ଆଇନକୁ ତୀବ୍ର ବିରୋଧ ପରେ ନିକଟରେ ସେ ସଂକ୍ରାନ୍ତ ଏକ ନୂତନ ଜାତୀୟ ନିରାପତ୍ତା ଆଇନ ଲାଗୁ କରିବାକୁ ଚାହୁଛନ୍ତିା ଏହାଦ୍ବାରା ହଂକଂର ସ୍ବୟଂପରିଚାଳନା ଅଧିକାର ଉପେକ୍ଷିତ ହେବ ବୋଲି ଅନେକ ଆଶଙ୍କା କରୁଛନ୍ତିା ତେଣୁ ଚୀନର ଉପରୋକ୍ତ କାର୍ଯ୍ୟକଳାପକୁ ଲକ୍ଷ୍ୟ କଲେ ତାର ଦାଦାଗିରି ସ୍ପଷ୍ଟ ଅନୁମେୟା ଏପରି ଧୀରେ ଧୀରେ ସେ ନିଜର ଆଧିପତ୍ୟକୁ ସମ୍ପ୍ରସାରଣ କରି ବିଶ୍ବର ସାମ୍ପ୍ରତିକ ରୂପରେଖକୁ ବଦଳାଇବାକୁ ଉଦ୍ୟମରତ ବୋଲି ବିଶେଷଜ୍ଞମାନଙ୍କ ମତ।