ଡ୍ରାଗନ୍ ବିରୋଧରେ ଜୋର୍ଦାର ଆକ୍ରମଣ ପାଇଁ ସେନା ପ୍ରସ୍ତୁତ, ଅପେକ୍ଷା କେବଳ ନିର୍ଦ୍ଦେଶକୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଲୱାନ ଉପତ୍ୟାକାରେ ବିଶ୍ୱାସଘାତକତା କରି କାପୁରୁଷଙ୍କ ଭଳି ଭାରତୀୟ ଯବାନଙ୍କ ଉପରେ ଚାଇନାର ଷଡ଼ଯନ୍ତ୍ରପୂର୍ଣ୍ଣ ଆକ୍ରମଣର ଜବାବ ଦେବାକୁ ସେନା ତୟାର୍ ରହିଛି । ଚାଇନା ବାରମ୍ବାର ଭାରତୀୟ ଅଞ୍ଚଳରେ ବେଆଇନ୍ ଭାବରେ ପ୍ରବେଶ କରୁଥିବାରୁ ଏହା ବିରୋଧରେ ଦୃଢ ସାମାରିକ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ପ୍ରତିରକ୍ଷା ସ୍ତରର କିଛି ଅଧିକାରୀ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିସାରିଛନ୍ତି । ତେବେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ସରକାରଙ୍କ ନିର୍ଦ୍ଦେଶକୁ କେବଳ ଅପେକ୍ଷା କରାଯାଇଥିବା ସୂଚନା ମିଳିଛି । ଚାଇନା ଔଦ୍ଧତ୍ୟପୂର୍ଣ୍ଣ ଆଚ୍ଚରଣ କରି ବାରମ୍ବାର ସୀମା ଉଲ୍ଲଙ୍ଘନ କରୁଥିବାରୁ ତା’କୁ ପାନେ ଦେବାକୁ ଅନେକ ସେନା ଅଧିକାରୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପୂର୍ଣ୍ଣକାଳୀନ ଯୁଦ୍ଧ ଲଢ଼ିଲେ ଭାରତର ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହେବ ଏଥିରେ ସନ୍ଦେହ ନାହିଁ, ମାତ୍ର ଚାଇନାର ଅହଂକାରଙ୍କୁ ଚୂର୍ଣ୍ଣ କରା ନଗଲେ ଭବିଷ୍ୟତରେ ଏହି କମ୍ୟୁନିଷ୍ଟ ଦେଶ କ୍ରମାଗତ ଭାବରେ ସୀମାରେ ଆହୁରି ଅଯଥା ବିବାଦ ସୃଷ୍ଟି କରି ସ୍ଥିତାବସ୍ଥାରେ ପରିବର୍ତ୍ତନ କରିବ । ଖାସ୍ ଏଇଥିଲାଗି ସଂସାଧନ ପ୍ରସ୍ତୁତ କରିବାରେ ଯେଉଁ ଅର୍ଥ ବ୍ୟୟ କରାଯିବ, ତାହାଠାରୁ ଶ୍ରେଷ୍ଠ ପନ୍ଥା ହେଉଛି ସେହି ଅର୍ଥରେ ଚାଇନାକୁ ଚେତାଇ ଦିଆଯାଉ, ଯେପରି ଭବିଷ୍ୟତରେ ଭାରତକୁ ଆଉ ନାଲିଆଖି ଦେଖାଇବାକୁ ଏହି ଦେଶ ଦୁଃସାହସ କରିବ ନାହିଁ ବୋଲି ଦେଶର ସାମରିକ ବିଶେଷଜ୍ଞମାନେ ସରକାରଙ୍କୁ ଜଣାଇଛନ୍ତି । ଯୁଦ୍ଧ ପରବର୍ତ୍ତୀ ସ୍ଥିତିର ଯଥୋଚିତ ସମୀକ୍ଷା କରି ଦେଶର ଅର୍ଥନୈତିକ ବିଶେଷଜ୍ଞମାନେ ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ଦେଇଥିବା ସୂତ୍ରରୁ ସୂଚନା ମିଳିଛି । ସେମାନଙ୍କ ମତରେ ଯୁଦ୍ଧ ପରେ ଭାରତର ଅର୍ଥନୀତିକୁ ପୁନରୁଦ୍ଧାର କରିବାର ଅନେକ ବିକଳ୍ପ ରହିଛି । ତେବେ ସମସ୍ତଦିଗକୁ ତର୍ଜମା କରି ଭାରତ ସରକାର ଜାତୀୟ ସ୍ୱାର୍ଥକୁ ଧ୍ୟାନରେ ରଖି ଉଚିତ୍ ସମୟରେ ଉଚିତ୍ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସବୁଆଡ଼େ ଆଲୋଚନା ହେଉଅଛି । ରିପୋର୍ଟ ଅନୁସାରେ, ଏବେ ସିକ୍କିମ ଓ ଅରୁଣାଚଳ ପ୍ରଦେଶ ସୀମାରେ ମଧ୍ୟ ଚାଇନା ବିପୁଳ ସଂଖ୍ୟାରେ ଫୋର୍ସ ମୁତୟନ କରି ଭାରତର ଧୈର୍ଯ୍ୟକୁ ପରୀକ୍ଷା କରିବାକୁ ଉଦ୍ୟମ କରୁଛି । ଏହି ସ୍ଥିତିର ସଫଳ ମୁକାବିଲା ପାଇଁ ଭାରତ ପକ୍ଷରୁ ଗଲୱାନ ଭ୍ୟାଲି, ଦୌଲତ ବେଗ ଓଲଡି, ଦେପସାଙ୍ଗ ଓ ଛୁଶୁଲ ଭଳି ଅଞ୍ଚଳରେ ଚାଇନା ସୈନ୍ୟମାନଙ୍କ ଗତିବିଧି ନଜର ରଖାଯାଇଛି । ସୀମାରେ ଭାରତ ପକ୍ଷରୁ ସ୍ୟାଟେଲାଇଟ, ଡ୍ରୋନ ଓ ଲଙ୍ଗ ରେଞ୍ଜ ନାଭାଲ ଏୟାରକ୍ରାଫ୍ଟ ଯଥା ପି-୮ଆଇ ଦ୍ୱାରା ଚାଇନାର ପ୍ରତ୍ୟେକଟି ହରକତ୍ ଉପରେ ତୀକ୍ଷ୍ଣଦୃଷ୍ଟି ରଖିଛି ଭାରତୀୟ ସେନା । ସରକାରୀ ନିର୍ଦ୍ଦେଶ ମିଳିବା ମାତ୍ରକେ ଭାରତୀ ସେନା ଚାଇନା ଉପରେ ଜୋର୍ଦାର ଆକ୍ରମଣ କରି ଗଲଓ୍ୱାନ ଘାଟି ବିଶ୍ୱାସଘାତକତାର ମଧୁର ପ୍ରତିଶୋଧ ନେବ ବୋଲି କହିଛନ୍ତି ସେନାର ଜଣେ ବରିଷ୍ଠ ଅଧିକାରୀ । ଏଠାରେ ଜାଣିବା ବିଧେୟ ଯେ, ସୋମବାର ଚାଇନା ସେନା ଗଲୱାନ ଭ୍ୟାଲିରେ ବର୍ବରତାର ସମସ୍ତ ସୀମା ଲଙ୍ଘନ କରି ଲୁହାକଣ୍ଟାଯୁକ୍ତ ରଡ଼୍ ଓ କାଠଫାଳିଆରେ ଭାରତୀୟ ଯବାନଙ୍କୁ ଅତ୍ୟନ୍ତ ଅମାନୁଷିକ ଢଙ୍ଗରେ ଆକ୍ରମଣ କରିଥିଲା । ତେବେ ହାସ୍ୟାସ୍ପଦର କଥା ହେଉଛି ଏହି ରକ୍ତାକ୍ତ ସଂଘର୍ଷ ସମୟରେ ପ୍ରଚଣ୍ଡ ପ୍ରତିଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲେ ଭାରତୀୟ ସେନାଠାରୁ ଚାରିଗୁଣା ସଂଖ୍ୟାରେ ଉପସ୍ଥିତ ଥିବା ଚୀଇନା ସୈନିକ ।