ରଥଯାତ୍ରା ପରିଚାଳନା ଦାୟିତ୍ୱ ରେ ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରାର ପରିଚାଳନା ନେଇ ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ରଥଯାତ୍ରା କିପରି ସୁରୁଖୁରୁରେ ପରିଚାଳନା ହେବ ସେଥିପାଇଁ ସରକାର ପୁରା ଦମ ଲଗାଇଦେଇଛନ୍ତି। କାରଣ ନିକଟରେ ହୋଇଥିବା ବିବାଦ ଗୁଡିକରୁ ମୁକୁଳିବା ପାଇଁ ରଥଯାତ୍ରା ର ସୁପରିଚାଳନା କୁ ସରକାର ନିଜ ଢାଲ କରିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଏହାର ପରିଚାଳନା ଦାୟିତ୍ବ ବୌଦ୍ଧର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଢେଙ୍କାନାଳ ଏଡିଏମ୍ ଅବନୀକାନ୍ତ ପଟ୍ଟନାୟକ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶୁଭକାନ୍ତ ମହାପାତ୍ର ଙ୍କୁ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସେମାନେ ପୁରୀରେ ଦାୟିତ୍ୱ ନିର୍ବାହ କରିବେ। ବୁଧବାର ସାଧାରଣ ପ୍ରଶାସନ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।