ଶବ ଶୋଭାଯାତ୍ରାବେଳେ କୋଭିଡ ନିୟମ ଭାଙ୍ଗି ୫୦୦ଜଣଙ୍କ ନାମରେ ମାମଲା ରୁଜୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ-୧୯ର ନିୟମ ଭାଙ୍ଗିବା ପଡିଲା ମହଙ୍ଗା । ରାଉରକେଲାରେ ଶବ ଶୋଭାଯାତ୍ରା ବେଳେ କୋଭିଡ ନିୟମ ଭାଙ୍ଗି ଏକତ୍ର ହୋଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ । ପାଖାପାଖି ୫୦୦ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ରାଉରକେଲା ଏସପି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ପ୍ଲାଣ୍ଟସାଇଟ ଥାନାରେ ମାମଲା ରୁଜୁ କରାଯାଇଛି । ସୂଚନା ଥାଉ କି ଗତ ୮ ତାରିଖରେ କରୋନା ମୁକାବିଲା ସମୟରେ ରାଉରକେଲାରେ ସାମାଜିକ ଦୂରତା ଉଲ୍ଲଂଘନର ଦୃଶ୍ୟ ସାମ୍ନାକୁ ଆସିଥିଲା । ଶବ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଥିଲା ଜନସମୁଦ୍ର । ପୁଲିସ ଉପସ୍ଥିତିରେ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି ବୋଲି ଅଭିଯୋଗ ଆସିଥିଲା । ରାଉରକେଲାର ପ୍ଲାଣ୍ଟ୍ ସାଇଟ୍ ଥାନା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଯୁବକର ଅନ୍ତିମ ସଂସ୍କାର ସମୟରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ । କରୋନା ମହାମାରୀ ସମୟରେ ଅନେକ ସ୍ଥାନରେ ସାମାଜିକ ଦୂରତା ଉଲ୍ଲଙ୍ଘନ ହେଉଥିବାର ଦେଖିବାକୁ ମିଳେ । କିନ୍ତୁ ଏଭଳି ଉଲ୍ଲଙ୍ଘନ କେବେ ଦେଖିବାକୁ ମିଳି ନ ଥିଲା । ଏହି ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଫଳରେ ଘଟଣାର ଦୁଇ ଦିନ ପରେ ପୁଲିସ ପକ୍ଷରୁ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହାପୂର୍ବରୁ କଣ୍ଟେନମେଣ୍ଟ ଜୋନ ଘୋଷଣାକୁ ବିରୋଧ କରି ରାଉରକେଲାରେ କିିଛି ଲୋକ ପୁଲିସ ଉପରକୁ ପଥରମାଡ ମଧ୍ୟ କରିଥିଲେ । ଫଳରେ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ୩୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଜୁନ ୮ ତାରିଖ ସଂଧ୍ୟାରେ ପୁଣି ଏଭଳି ଏକ ଜନସମୁଦ୍ର ସଂକ୍ରମଣର ଆଶଙ୍କାକୁ ଆହୁରି ବଢାଇଦେଇଛି ।

Leave a comment