ଶେଷ ହେଲା ଗୁମ୍ଫାରୁ ଉଦ୍ଧାର ଅଭିଯାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ଆଜି ଦୀର୍ଘ ୧୮ଦିନର ଜୀବନ ସଂଘର୍ଷ ଶେଷହେଲା। ଗୁମ୍ଫାରୁ ସଫଳତାର ସହ ଉଦ୍ଧାର ହେଲେ ସମସ୍ତ ୧୨ କିଶୋର ଫୁଟବଲ ଖେଳାଳି ଓ ସେମାନଙ୍କ କୋଚ୍। ବଞ୍ଚିବା ର ଇଚ୍ଛା ଶକ୍ତି ଆଗରେ ମୃତ୍ୟୁ ହାର ମାନିଲା। ମୃତ୍ୟୁ କୁ ପରାସ୍ତ କରି ବାକି ଥିବା ୪ ଜଣ ଖେଳାଳି ଆଜି ଗୁମ୍ଫାରୁ ବାହାରକୁ ବାହାରିଛନ୍ତି।
ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୧ ଜଣ କିଶୋର ଫୁଟବଲ ଖେଳାଳି ମ୍ୟାଚ୍ ସାରିବା ପରେ ସେମାନଙ୍କ କୋଚ୍ଙ୍କ ସହ ଉତ୍ସୁକତାର ସହ ଏହି ଗୁମ୍ଫାରେ ପ୍ରବେଶ କରିଥିଲେ। ମାତ୍ର ପ୍ରବଳ ବର୍ଷା ଯୋଗୁଁ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ରହିଥିଲେ। ଗୁମ୍ଫା ମୁହଁଠାରୁ ପ୍ରାୟ ୪ କିଲୋମିଟରେ ଦୂରରେ ଏମାନେ ଫସି ରହିଥିଲେ ।
ଖେଳାଳି ମାନଙ୍କ ନିଖୋଜ ହେବା ଖବର ପ୍ରଚାର ହେବାପରେ ସେମାନଙ୍କୁ ଖୋଜିବା ପାଇଁ ସମସ୍ତେ ତତ୍ପର ହୋଇଉଠିଥିଲେ । ଶେଷରେ ସେମାନେ ଗୁମ୍ଫା ଭିତରେ ଫସି ଯାଇଥିବା ଜାଣିବାକୁ ପାଇଥିଲେ ମାତ୍ର ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ସମେନଙ୍କୁ ମୁକ୍ତି କରିବା ପାଇଁ ଅନେକ ରାଷ୍ଟ୍ର ସହଯୋଗର ହାତ ବଢାଇଥିଲେ। ଥାଇଲାଣ୍ଡ ସହ ଅଷ୍ଟ୍ରେଲିଆ, ଚୀନ୍, ଇସ୍ରାଏଲ୍, ମିଆଁମାର, ଫ୍ରାନ୍ସ ଓ ଅନ୍ୟ ଦେଶର ବିଶେଷଜ୍ଞ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଦୁଇ ଦିନ ତଳେ ଗୁମ୍ଫା ଭିତରୁ ୪ଜଣଙ୍କୁ ଉଦ୍ଧାର କରାଯିବା ପରେ ଗତକାଲି ଆଉ ଚାରିଜଣଙ୍କୁ ବାହାରକୁ ଅଣାଯାଇଥିଲା । ଆଜି ବାକି ୪ଜଣଙ୍କୁ ଉଦ୍ଧାର କରାଯାଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ପ୍ରକାଶ କରିଛନ୍ତି।