ସ୍ନାନବେଦୀରେ ହାତୀବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି, ଦେଖନ୍ତୁ ଏହାର କିଛି ଅବିସ୍ମରଣୀୟ ମୁହୂର୍ତ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମଥର ବିନା ଭକ୍ତ ସମାଗମରେ ଶେଷହେଲା ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା । ଏପରିକି ଗଜପତି ମହାରାଜାଙ୍କ ଅନୁପସ୍ଥିତି ଯୋଗୁଁ ମୁଦିରସ୍ତ ଛେରାପହଁରା କରିଥିଲେ । ଏବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ସମସ୍ତ ନିୟମ ପାଳନ କରି ଶାନ୍ତି ଶୃଙ୍ଖଳା ଭାବେ ଶେଷହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ପୂର୍ଣ୍ଣିମା ।
ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ବିଶ୍ୱବାସୀଙ୍କୁ ଧଳା ଓ କଳା ହାତୀବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ତେବେ ସାଂପ୍ରତିକ ଇତିହାସରେ ବିନା ଭକ୍ତରେ ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣିମା ହେବା ଏକ ବିରଳ ଘଟଣା । ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ଭକ୍ତମାନେ କାହିଁ କେତେ ଦିନରୁ ଅପେକ୍ଷା କରି ରହିଥାଆନ୍ତି । ମାତ୍ର ଏଥର ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବାରୁ ଭକ୍ତମାନେ ବଞ୍ଚିତ ହୋଇଥିବାରୁ କେଉଁଠି ନା କେଉଁଠି ସେମାନଙ୍କ ମନରେ ଦୁଃଖ ଭରି ରହିଛି। କିନ୍ତୁ ଟେଲିଭିଜନ୍ ମାଧ୍ୟରେ ଶ୍ରୀଜୀଉଙ୍କ ପ୍ରତିଟି ନୀତିକୁ ଭକ୍ତ ସିଧାସଳଖ ଦେଖିବାର ସୌଭାଗ୍ୟ ପାଇଛନ୍ତି ।