ବାଲିଅନ୍ତା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲଦାର । ରାଜଧାନୀ ଉପକଣ୍ଠ ବାଲିଅନ୍ତାର ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ସହିତ ଡାଟା ଏନଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଡାଟା ଏନଟ୍ରି ଅପରେଟର ଧନେଶ୍ୱର ମାଧ୍ୟମରେ ତହସିଲଦାର ରଶ୍ମିରେଖା ୧ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସେମାନଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଖାରବେଳନଗର ଥାନା ଶାସ୍ତ୍ରୀନଗରରେ ରହୁଥିବା କୈଳାଶ ରଥଙ୍କ ବାଲିଅନ୍ତା ତହସିଲ ଅଧିନରେ ଏକ ଜମି ରହିଛି । ଉକ୍ତ ଜମିର କିଶମ ପରିବର୍ତନ ଲାଗି ସେ ତହସିଲ ଅଫିସରେ ଆବେଦନ କରିଥିଲେ । ହେଲେ ବିଭିନ୍ନ ଆଳ ଦେଖାଇ ତହସିଲଦାର କିଶମ ପରିବର୍ତନ କରିନଥିଲେ । ବାରମ୍ବାର ଦୌଡିବା ପରେ ଡାଟା ଏନଟ୍ରି ଅପରେଟର ଧନେଶ୍ୱର ତାଙ୍କୁ ଦେଢଲକ୍ଷ ଟଙ୍କା ଲାଂଚ ମାଗିଥିଲେ । ତହସିଲଦାର ଟଙ୍କା ମାଗୁଥିବା ନେଇ ସେ କହିଥିଲେ । ମୂଲଚାଲ ପରେ ୧ଲକ୍ଷ ୨୦ ହଜାର ଟଙ୍କା ନେବାକୁ ସେ ରାଜି ହୋଇଥିଲେ ।
ତେବେ ଦହସିଲଦାର ଲାଂଚ ମାଗୁଥିବାରୁ ଏନେଇ କୈଳାଶ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭୁବନେଶ୍ୱର ଭିଜିଲାନ୍ସ ଟିମର ଯୋଜନା ମୁତାବକ ଗୁରୁବାର ଧନେଶ୍ୱର ଅଫିସ ବାହାରେ ଲାଂଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଧନେଶ୍ୱର ପକେଟରୁ ଲାଂଚ ଟଙ୍କା ଜବତ କରାଯାଇଛି । ଧନେଶ୍ୱରର ବୟାନ ଅନୁସାରେ ଭିଜିଲାନ୍ସ ତହସିଲଦାରଙ୍କୁ ମଧ୍ୟ ହେପାଜତକୁ ନେଇ ପଚରାଉଚରା କରୁଛି । ସେହିପରି ତହସିଲଦାର ଓ ଡାଟା ଏନଟ୍ରି ଅପରେଟରଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।
ଏନେଇ ତହସିଲଦାର ରଶ୍ମିରେଖା କହିଛନ୍ତି, ଘଟଣା ସମ୍ପର୍କରେ ସେ କିଛି ଜାଣିନାହାନ୍ତି । ଅଭିଯୋଗକାରୀଙ୍କ ସହ ତାଙ୍କର କେବେ କଥା ହୋଇନି କିମ୍ବା ଭେଟ ମଧ୍ୟ ହୋଇନାହିଁ । ଧନେଶ୍ୱର ଭିଜିଲାନ୍ସକୁ ଭୁଆଁ ବୁଲେଇବାକୁ ଯାଇ କହିଛନ୍ତି, ଅଭିଯୋଗକାରୀ ମଦ୍ୟପାନ କରିଥିବା ବେଳେ ଜବରଦସ୍ତ ତାଙ୍କ ପକେଟରେ ଟଙ୍କା ପୁରାଇଦେଇଥିଲେ । ତାଙ୍କର ୧ଲକ୍ଷ ୨୭ ହଜାର ଟଙ୍କା ସରକାରୀ ତହବିଲରେ ଜମା ହେବାକୁ ଅଛି । ସେ ଖର୍ଚ୍ଚ କରିଦେଉଥିବାରୁ ତାଙ୍କୁ ଉକ୍ତ ଟଙ୍କା ରଖିବାକୁ ଦେଇଥିବା କହିଥିଲେ । ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଖୋଲିବ ବୋଲି ଭିଜିଲାନ୍ସ କହିଛି ।