ଟିଟୋଙ୍କ ଜାମିନ ନାମଞ୍ଜୁର,୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ଏସ୍‌ଟିଏଫ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଡକାୟତି ସହ ଏକ ହତ୍ୟାକାଣ୍ଡର ଯୋଜନା କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀଙ୍କୁ କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ମଙ୍ଗଳବାର ରାତିରେ ହାଜର କରିଥିଲା। ତେବେ ଟିଟୋଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଡେରାବିଶ ବ୍ଲକ ବାରିମୂଳସ୍ଥିତ ସବ୍‌ଜେଲକୁ ପଠାଇ ଦିଆଯାଇଛି। ଆସନ୍ତା ବୁଧବାର ଟିଟୋଙ୍କୁ ଅଧିକ ପଚରା ଉଚରା ପାଇଁ ୧୦ ଦିନିଆ ରିମାଣ୍ଡରେ ନିଆଯିବ ବୋଲି ଏସ୍‌ଟିଏଫ୍‌ର ତଦନ୍ତ ଅଧିକାରୀ ଡିଏସପି ରାମଚନ୍ଦ୍ର ଥମ୍ବ ସୂଚନା ଦେଇଛନ୍ତି। ଡିଏସ୍‌ପିଙ୍କ ସୂଚନା ଅନୁସାରେ, କେନ୍ଦ୍ରାପଡା ସହରର ଦିଲାରପୁରସ୍ଥିତ ଟିଟୋଙ୍କ ବାସଭବନରେ ୬ ସହଯୋଗୀ ସହ ଏକ ଡକାୟତି ଓ ହତ୍ୟାକାଣ୍ଡ ଯୋଜନା କରିବା ବେଳେ ପୋଲିସ ତାଙ୍କ ସହଯୋଗୀଙ୍କ ସମେତ ଟିଟୋଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ନେବା ସମୟରେ ଯାଜପୁର ଜିଲା ବଡଚଣାଠାରେ ଟିଟୋଙ୍କଠାରୁ ପୋଲିସ ପିସ୍ତଲ ଉଦ୍ଧାର କରିବା ସମୟରେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଏସ୍‌ଟିଏଫ୍‌ ପକ୍ଷରୁ ପାଲଟା ଗୁଳି ଚାଳନା କରା ଯାଇଥିଲା। ଏଥିରେ ତାଙ୍କ ଗୋଡରେ ଗୁଳି ବାଜିବାରୁ ତାଙ୍କୁ ପ୍ରଥମେ ବଡଚଣା ସିଏଚସି ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ଅପରାହ୍ନରେ କଟକ ବଡ ମେଡିକାଲରୁ ଡିସଚାର୍ଜ ହେବା ପରେ ଟିଟୋଙ୍କୁ କେନ୍ଦ୍ରାପଡା ଏସଡିଜେଏମ୍‌ ନୀହାର ରଞ୍ଜନ ସାହୁଙ୍କ କୋର୍ଟରେ ହାଜର କରାଯାଇଛି। ଏନେଇ ଜିଆର କେସ ନଂ ୮୧୪/ ୧୮ ଓ ଏସଟିଏଫ କେସ ନଂ ୬/ ୧୮ରେ ମାମଲା ରୁଜୁ ହୋଇଛି। ଆବଶ୍ୟକ ପଡିଲେ ଭୁବନେଶ୍ୱରକୁ ସ୍ଥାନାନ୍ତର ପାଇଁ ଆବେଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Leave a comment