ବିଧାୟକଙ୍କୁ ଖୁବଶୀଘ୍ର ଗିରଫ କର: ବିଜେପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇଦିନ ତଳେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବିବାଦ ଘେରକୁ ଟାଣି ହୋଇଆସିଥିଲେ । ଏହାକୁ ନେଇ ଜିଲ୍ଲା ବିଜେପି ରାସ୍ତାକୁ ଓହ୍ଲାଇଛି । ସେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ଗିରଫଦାରୀ ଦାବୀ କରିଛନ୍ତି ।
ସୂଚନା ଅନୁଯାୟୀ, ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟୁଆ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି ଓ ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ବିଧାୟକଙ୍କୁ ଗିରଫ କରାନଯାଏ, ତେବେ ଆଗକୁ ଆନ୍ଦୋଳନକୁ ତିବ୍ର କରାଯିବ ବୋଲି ବିଜେପି ନେତା ଚେତାବନୀ ଦେଇଛନ୍ତି । ଜଗନ୍ନାଥ ପ୍ରଧାନ କହିଛନ୍ତି, ବିଧାୟକ ତଥା ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ତାଙ୍କ ଦୁର୍ନୀତି ଅର୍ଥରେ ଖୋର୍ଦ୍ଧା ବାଘମାରୀରେ ଫାର୍ମ ହାଉସ କରିଛନ୍ତି । ହେଲେ ତାହାକୁ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ନାଁରେ କରିଦେଇଛନ୍ତି । ତେବେ ନିଜ ଜମି ବିବାଦକୁ ନେଇ ସେ ସେଠାକୁ ଯାଇଥିବା ବେଳେ ବନ୍ଧୁଙ୍କୁ ସହାୟତା କରିବାକୁ ଯାଇଥିବା କଥା କହୁଛନ୍ତି । ମାତ୍ର ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ନେଇ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅସଦାଚରଣ ଓ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ କାହିଁକି ତାଙ୍କୁ ଗିରଫ କରୁନି? ଏପରିକି ବିଧାୟକଙ୍କୁ ତଦନ୍ତ ପରିସରର୍ଭୃକ୍ତ କରୁନି । ହେଲେ ତାଙ୍କ ଚାପରେ ଅଭିଯୋଗକାରିଣୀ ମହିଳାଙ୍କ ସ୍ୱାମୀକୁ ପୁଲିସ ଗିରଫ କରିଛି ।
ପୂର୍ବରୁ ଶିଖ ସଂପ୍ରଦାୟ ବ୍ୟକ୍ତିଙ୍କୁ ମାଡ ମରାଯିବା ଘଟଣାରେ ବିଧାୟକ ତାଙ୍କ ଘରକୁ ଯାଇ ଧମକଚମକ ଦେବା ଓ ଇଂଜିନିୟରିଂ ଛାତ୍ର ଋଷି ମୃତ୍ୟୁ ଘଟଣାରେ ବିଧାୟକଙ୍କ ସଂପୃକ୍ତି ନେଇ ଅଭିଯୋଗ ଆସିଥିଲା । ଏବେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ତେଣୁ ଏହି ଅନ୍ୟାୟ ଓ ପୁଲିସ ନିଷ୍କ୍ରିୟତା ବିରୋଧରେ ବିଜେପି ରାସ୍ତାକୁ ଓହ୍ଲାଇଛି । ଯଦି ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ଆନ୍ଦୋଳନଙ୍କୁ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । କେବଳ ଜଗନ୍ନାଥ ପ୍ରଧାନ ନୁହଁନ୍ତି, ବରଂ ଦିଲ୍ଲୀପ ମହାନ୍ତି ଓ ବାବୁ ସିଂ ମଧ୍ୟ ବିଧାୟକଙ୍କ ଗିରଫ ଦାବି କରିଥିଲେ ।
ସୂଚନା ଥାଉ କି, ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ସାରୁଅ ଗାଁରେ ଦିଲ୍ଲୀପ ମହାଭୋଇ ନିଜ ପରିବାର ସହ ରହୁଛନ୍ତି । ଗତ ୧୯ ତାରିଖ ରାତି ପ୍ରାୟ ସାଡେ ୧୦ଟା ବେଳେ ଏକ କଳା ରଙ୍ଗର କାରରେ ବିଧାୟକ ଅନନ୍ତ ନାରାୟଣ ଜେନା ନିଜ ସହଯୋଗୀଙ୍କ ମାନଙ୍କୁ ଧରି ତାଙ୍କ ଘରେ ବଳପୂର୍ବକ ପଶିଥିଲେ । ସେମାନଙ୍କ ହାତରେ ବନ୍ଧୁକ, ଖଣ୍ଡା ଆଦି ମାରଣାସ୍ତ୍ର ଥିଲା । ସେତେବେଳକୁ ତାଙ୍କ ଘରେ କେହି ପୁରୁଷ ଲୋକ ନ ଥିଲେ । ବିଧାୟକ ଓ ତାଙ୍କ ସହଯୋଗୀମାନେ ତାଙ୍କ ସ୍ୱାମୀଙ୍କ ନାଁରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଚୁଟି ଘୋଷାରି ଟଣାଓଟରା କରିଥିଲେ । ଏପରିକି ତାଙ୍କୁ ଜୀବନରୁ ମାରିଦେବାର ମଧ୍ୟ ଧମକ ଦେଇଥିଲେ । ଏହାକୁ ନେଇ ବାଘମାରି ଥାନାରେ ଆଇପିସିର ଧାରା ୪୪୮(ଜବରଦସ୍ତ ଘରେ ପଶିବା), ୨୯୪(ଗାଳିଗୁଲଜ କରିବା), ୩୫୪(ବି)(ମହିଳାଙ୍କ ଚୁଟି ଧରି ଟାଣିବା), ୫୦୬(ହତ୍ୟା ଧମକ, ୨୫ ଆର୍ମସ୍ ଆକ୍ଟ ଏବଂ ୩୪ ରେ ମାମଲା ରୁଜୁ ହୋଇଥିଲା ।