ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବିବାଦ ଘେରରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣିଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ତଥା ବର୍ତ୍ତମାନର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଜଣେ ମହିଳାଙ୍କୁ ଅସଦାଚରଣ କରିବା ନେଇ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କ ନାଁ ରେ ଖୋର୍ଦ୍ଧା ଜିଲ୍ଲାର ବାଘମାରି ଥାନାରେ ମାମଲା ରୁଜୁ ହୋଇଛି । ମହିଳାଙ୍କ ଏତଲାକୁ ବାଘମାରୀ ଥାନା ଆଇଆଇସି ଗ୍ରହଣ କରି ଆଇପିସିର ଧାରା ୪୪୮(ଜବରଦସ୍ତ ଘରେ ପଶିବା), ୨୯୪(ଗାଳିଗୁଲଜ କରିବା), ୩୫୪(ବି)(ମହିଳାଙ୍କ ଚୁଟି ଧରି ଟାଣିବା), ୫୦୬(ହତ୍ୟା ଧମକ, ୨୫ ଆର୍ମସ୍ ଆକ୍ଟ ଏବଂ ୩୪ ରେ ମାମଲା ରୁଜୁ କରିଛନ୍ତି । ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି । ସେହିପରି ଗତକାଲି ରାତିରେ ବିଧାୟକଙ୍କ ପକ୍ଷରୁ କାଉଣ୍ଟର ଏଫ.ଆଇ.ଆର କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ସାରୁଅ ଗାଁରେ ଦିଲ୍ଲୀପ ମହାଭୋଇ ନିଜ ପରିବାର ସହ ରହୁଛନ୍ତି । ଗତ ୧୯ ତାରିଖ ରାତି ପ୍ରାୟ ସାଡେ ୧୦ଟା ବେଳେ ଏକ କଳା ରଙ୍ଗର କାରରେ ବିଧାୟକ ଅନନ୍ତ ନାରାୟଣ ଜେନା ନିଜ ସହଯୋଗୀଙ୍କ ମାନଙ୍କୁ ଧରି ତାଙ୍କ ଘରେ ବଳପୂର୍ବକ ପଶିଥିଲେ । ସେମାନଙ୍କ ହାତରେ ବନ୍ଧୁକ, ଖଣ୍ଡା ଆଦି ମାରଣାସ୍ତ୍ର ଥିଲା । ସେତେବେଳକୁ ତାଙ୍କ ଘରେ କେହି ପୁରୁଷ ଲୋକ ନ ଥିଲେ । ବିଧାୟକ ଓ ତାଙ୍କ ସହଯୋଗୀମାନେ ତାଙ୍କ ସ୍ୱାମୀଙ୍କ ନାଁରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଚୁଟି ଘୋଷାରି ଟଣାଓଟରା କରିଥିଲେ । ଏପରିକି ତାଙ୍କୁ ଜୀବନରୁ ମାରିଦେବାର ମଧ୍ୟ ଧମକ ଦେଇଥିଲେ ।
ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ବିଧାୟକ ବୁନୁଙ୍କ ସମ୍ପର୍କୀୟଙ୍କ ନାଁରେ ସାରୁଅ ଅଞ୍ଚଳରେ ଏକ ଫାର୍ମ ହାଉସ ଅଛି । ସେ ଫାର୍ମ ହାଉସଟି ବିଧାୟକଙ୍କ ନିଜର ବୋଲି ଚର୍ଚ୍ଚା ହେଉଛି । ସେଠାରେ ଏକ ପୋଖରୀ ଖୋଳାରୁ ବିବାଦ ଆରମ୍ଭ ହୋଇ ମାମଲା ଜଟିଳ ମୋଡ଼ ନେଇଛି । ଅପରପକ୍ଷରେ ବିଧାୟକଙ୍କ ସମର୍ଥକମାନେ କହିଛନ୍ତି, ଅଭିଯୋଗକାରିଣୀଙ୍କ ସ୍ୱାମୀ ପୋଖରୀ ଖୋଳାଯିବାକୁ ନେଇ ସେଠାରେ ଗଣ୍ଡଗୋଳ ଓ ମାରପିଟ କରିଥିଲେ । ଖବର ପାଇ ବିଧାୟକ ସେଠାରେ ପହଞ୍ଚିଥିଲେ । ବିଧାୟକଙ୍କ ସହ ମଧ୍ୟ ତାଙ୍କର ପାଟିତୁଣ୍ଡ ହୋଇଥିଲା । ବିଧାୟକଙ୍କୁ ଫସାଇବାକୁ ତାଙ୍କ ପତ୍ନୀ ମିଛ ଅଭିଯୋଗ ଆଣିଥିବା ସେମାନେ କହିଛନ୍ତି । ମାତ୍ର ବିଧାୟକଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପରିନାହିଁ ।