୯୯୦ କିଲୋମିଟର ଦୂରରେ ଅମ୍ଫାନ୍, ୧୨ଟି ଜିଲ୍ଲାକୁ ଆଲର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍ ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ନେଇ ଅନୁମାନ କରାଯାଉଛି। ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୯୦ କିଲୋମିଟର ଦୂରରେ ରହିଛି । ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ପ୍ରଭାବରେ ୧୮ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢ଼େଙ୍କାନାଳ ଆଦି ଜିଲ୍ଲାକୁ ବଜ୍ରପାତ ନେଇ ପାଣିପାଗ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।
ଏଥିସହିତ ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ମୟୁରଭଞ୍ଜ, କନ୍ଧମାଳ, କେନ୍ଦୁଝର, ଢ଼େଙ୍କାନାଳ, ରାୟଗଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନାରେ ସମାନ୍ୟ ବର୍ଷା ହେବା ସହିତ ଘଡ଼ଘଡ଼ି ବିଜୁଳି ବି ମାରିବ। ଏହି ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ପାଗମୁଖ୍ୟତଃ ଶୁଖିଲା ରହିବ। ୧୯ ତାରିଖରୁ ପବନର ବେଗ ବଢିବ।
ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । ଏଥିପାଇଁ ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ୪ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଭଦ୍ରକରେ ଅଧିକ ବିପଦ ରହିଛି।