ସଂପନ୍ନ ହେଲା ଭଉଁରୀ ଯାତ୍ରା । ସ୍ନାନ, ଅଣସର ଓ ରଥଯାତ୍ରା ନେଇ ଦଇତାପତିଙ୍କ ସହ ଆଲୋଚନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରାକୁ ନେଇ ଲାଗିରହିଥିବା ଦ୍ଵନ୍ଦର କଳା ବାଦଲ ଧୀରେ ଧୀରେ ହଟି ସୂର୍ଯ୍ୟଙ୍କ ପ୍ରକାଶ ସ୍ୱରୂପ ବିଶ୍ୱବିଖ୍ୟାତ ଘୋଷଯାତ୍ରାର ଆଶା ଉଜ୍ଜୀବିତ ହେବାରେ ଲାଗିଛି ।
ଆଜି ଶ୍ରୀକ୍ଷେତ୍ରରେ ଏକ ଭକ୍ତିଭାବାପନ୍ନ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ଭଉଁରୀ ଯାତ୍ରା । ପୁରୀରେ ଚକଡ଼େରା ନୀତି ସଂପନ୍ନ ହୋଇଛି । ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହେବାରୁ ନୃସିଂହ ଚୁତୁଦ୍ର୍ଦଶୀରେ ଗୁଜ ଅନୁକୂଳ ହୋଇପାରି ନଥିଲା ମଧ୍ୟ ତିଥି ଅନୁସାରେ ଚକଡ଼େରା ନୀତି ସଂପନ୍ନ ହୋଇଛି । ସେପଟେ ଗାଇଡ୍ଲାଇନ୍ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତିଙ୍କୁ ନେଇ ଅାୟୋଜିତ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।
ଘଣ୍ଟା କାହାଳୀ ବାଦ୍ୟ ସହିତ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ପରେ ରଥଖଳାର ଏକ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା । କରୋନା କଟକଣା ଭିତରେ କାର୍ଯ୍ୟରତ ସେବାୟତମାନେ ଉତ୍ସାହିତ ହୋଇପଡ଼ିଥିଲେ । ଆଜ୍ଞାମାଳ ବିଜେ ପରେ କାଳବିଳମ୍ବ ନକରି ଅାରମ୍ଭ ହୋଇଥିଲା ଚକଡେରା ନୀତି । ସେବାୟତମାନେ ତିନି ରଥର ତିନୋଟି ଅଖ ସହ ଛଅଟି ଚକ ସଂଯୋଗ କରିଥିଲେ ।
ଚଳିତବର୍ଷ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଅାରମ୍ଭ ହୋଇଥିବାରୁ ଭଉଁରୀ ତିଥିରେ ଚକଡେରା ନୀତି ସେବାୟତମାନଙ୍କ ପାଇଁ ଏକ ଚାଲେଞ୍ଜ ଥିଲା । ବିନା ବିଘ୍ନରେ ଏହିନୀତି ସଂପନ୍ନ ହେବା ପରେ ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି । ଆଗକୁ ରଥ ନିର୍ମାଣର ସମସ୍ତ କାମ ତିଥି ଅନୁସାରେ ସଂପନ୍ନ ହୋଇ ଠିକ୍ ସମୟରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।
ଅପରପକ୍ଷରେ କୋଭିଡ୍-୧୯ ଗାଇଡ୍ଲାଇନ୍ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ପାଇଁ ଦଇତାପତି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା ।