ରାଜ୍ୟ ଅର୍ଥନୀତିକୁ ସଠିକ ପରିଚାଳନା ଓ ମାର୍ଗଦର୍ଶନ ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସ ବର୍ମାଙ୍କ ଗୁରୁତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମା ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି କରୋନା ମହାମାରୀ ପରିପ୍ରେକ୍ଷୀରେ ଓ ଏହାର ପରବର୍ତ୍ତୀ ସମୟରେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ରାଜ୍ୟ ସରକାର କରୋନା ମହାମାରୀର ମୁକାବିଲା କରୁଥିବାବେଳେ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବା ନିମନ୍ତେ ଚାରୋଟି କ୍ଷେତ୍ର ଉପରେ ବିସ୍ତୃତ ତର୍ଜମା କରି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଜ୍ଞାନିକ, ସାମାଜିକ କର୍ମୀ, ଅର୍ଥନୀତିଜ୍ଞ ଏବଂ ଉଚ୍ଚ ପଦାଧିକାରୀଙ୍କ ମତାମତକୁ ନେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମୂହ, ଜନସ୍ୱାସ୍ଥ୍ୟ, ପର୍ଯ୍ୟଟନ ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ର ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବା ପୂର୍ବରୁ ସମସ୍ତ ସଂପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସହିତ ବ୍ୟାପକ ବିଚାରବିମର୍ଶ କରାଯିବ ।

ରାଜ୍ୟ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ନୋଡାଲ୍‌ ଏଜେନ୍ସି ଭାବେ ଦାୟିତ୍ୱ ନିର୍ବାହ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ସମସ୍ତ କ୍ଷେତ୍ରକୁ କିପରି ସଠିକ୍‌ ପରିଚାଳନା ଓ ମାର୍ଗଦର୍ଶନ କରାଯିବ ତା’ ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସ ବର୍ମା ଗୁରୁତ୍ୱାରୋପ କରିଛନ୍ତି । ବିଭିନ୍ନ ପର୍ଯ୍ୟାୟର ଆଲୋଚନା ପରେ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଗୋପବନ୍ଧୁ ଶତପଥୀ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ ମିଶ୍ର, ଯୋଜନା ଓ ସଂଯୋଜନ ବିଭାଗର ଅନୁଶାସନ ସଚିବ ଶ୍ରୀ ଅଭୟ କୁମାର ମହାନ୍ତି ପ୍ରମୁଖ ଭାଗ ନେଇଥିଲେ ।

Leave a comment