ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନ ଥିଲା ନିର୍ବାଚନୀ ବାର୍ତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ ଲୋକଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି ବୋଲି ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଇବାପରେ ଆଜି ଓଡ଼ିଶା ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବାହାର ରାଜ୍ୟରେ ଅଟକିଥିବା ଓଡ଼ିଶାର ପୁଅଝିଅଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସନ୍ଦେଶ ନିର୍ବାଚନୀ ବାର୍ତା ନଥିଲା ବରଂ ସମ୍ବିଧାନର ଦର୍ଶନ ଓ ମାନବିକତାର ଆହ୍ୱାନ ଥିଲା ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି।

ଗଣମାଧ୍ୟମକୁ ନିୟମିତ ବୁଲେଟିନ୍ ଜାରି କରି ଶ୍ରୀ ବାଗଚୀ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ରହିଥିବା ଓଡ଼ିଆଙ୍କୁ ଫେରାଇବା ଅଣାଯିବାକୁ ନେଇ କେତେକ ମଞ୍ଚରେ ଆଶଙ୍କା ଓ ଅସନ୍ତୋଷ ପ୍ରକାଶ ପାଇଛି। ସେହି ଫେରନ୍ତାଙ୍କ ପାଇଁ ରାଜ୍ୟର ଅନ୍ୟ ଲୋକମାନଙ୍କ ସ୍ଥିତି ବିପନ୍ନ ହେବ ବୋଲି ଉଦବେଗ ବ୍ୟକ୍ତ କରିଛନ୍ତି। ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ରଖିବା ନିମନ୍ତେ ଦାବି କରୁଛନ୍ତି। ମାତ୍ର ସରକାର ସ୍ପଷ୍ଟ କରି ଦେବାକୁ ଚାହୁଁଛନ୍ତି ଯେ ପ୍ରତ୍ୟେକ ମଣିଷର ସାମ୍ବିଧାନିକ ଅଧିକାର ରହିଛି।
ସମତା ଓ ସ୍ୱାଧୀନତା ସମସ୍ତଙ୍କର ମୌଳିକ ଅଧିକାର ମଧ୍ୟ। ସୁରତ ଫେରନ୍ତାଙ୍କ ଯୋଗୁ କେଉଁଠି ସଂକ୍ରମଣ ବଢ଼ିନାହିଁ। ତେଣୁ ଓଡ଼ିଶା ଫେରନ୍ତାଙ୍କୁ ସଂଶୟ ଦୃଷ୍ଟିରେ ଦେଖିବା ଓ ସେମାନଙ୍କ ପ୍ରତି ବୈମାତୃକ ଆଚରଣ ପୋଷଣ କରିବା ସମୀଚୀନ ନୁହେଁ। ସଭ୍ୟ ଦେଶରେ ନାଗରିକର ସବୁଠୁ ବଡ଼ ଅଧିକାର ହେଉଛି ମୌଳିକ ଅଧିକାର।

ବିଶେଷକରି ବିପନ୍ନ ସ୍ଥିତିରେ ସମ୍ବଳ ନଥିବା ଲୋକ ପାଖରେ ଛିଡ଼ା ହେବା ସରକାରଙ୍କ ଦାୟିତ୍ୱ ମଧ୍ୟ। ତେଣୁ ଏହା ନ୍ୟାୟ ଅବା ଆଇନର କଥା ନୁହେଁ ବରଂ ଏହାକୁ ବିବେକ ଓ ମାନବିକତା ଦୃଷ୍ଟିରେ ଦେଖିବା ଉଚିତ୍।

Leave a comment