ବିନା କାରଣରେ ବୁଲିଲେ ହେବ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୫ ଜିଲ୍ଲା ଓ ୮ ସହରକୁ ‘ଲକ୍ଡାଉନ’ ବା ‘ତାଲାବନ୍ଦ’ ଘୋଷଣା କରିଛନ୍ତି । ଏହି ନିୟମକୁ ଉଲଂଘନ କରି ବିନା କାରଣରେ ଅନେକ ଲୋକ ବାହାରେ ବୁଲୁଥିବାରୁ ପୋଲିସ ସେମାନଙ୍କୁ ଅଟକାଇ ବୁଝାସୁଝା କରି ଘରକୁ ପଠାଇ ଦେଉଛି । ମାତ୍ର କିଛି ଲୋକ ଅଯଥାରେ ପୋଲିସ ସହ ଯୁକ୍ତି କରୁଥିବା ଦେଖିବାକୁ ମିଳୁଛି । ଏହିପରି ଅବୁଝା ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ସେହିପରି ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଥିଲେ ଯେ କେହି ସରକାରୀ ନିୟମର ଉଲ୍ଲଙ୍ଘନ କରିବ ପୋଲିସ ତାକୁ ଗିରଫ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି ।
ସୂଚନା ଅନୁଯାୟୀ, ଆଜି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ମହାମାରୀ କରୋନା ଓ ମଣିଷ ଭିତରେ ଚାଲିଥିବା ଯୁଦ୍ଧରେ ଜନସାଧାରଣ ଜଣେ ଜଣେ ଯୋଦ୍ଧା । ତେଣୁ କେହି ‘କରୋନା’ ଠାରୁ ହାରିବାକୁ ବାଟ ଫିଟାନ୍ତୁ ନାହିଁ । ନିଜେ ସରକାରଙ୍କ ନିୟମ ମାନିବା ସହ ଅନ୍ୟଙ୍କୁ ସେଚତନ କରାନ୍ତୁ । ଯଦି କେହି ଜଣେ ଏହି ଯୁଦ୍ଧରେ ବେପରୁଆ ହୁଅନ୍ତି, ତା’ହେଲେ ସବୁ ଯୋଦ୍ଧା ହାରିଯିବେ । ଏହି ଯୁଦ୍ଧରେ କେହି ଯଦି ନିୟମକୁ ଅମାନ୍ୟ କରନ୍ତି, ସେମାନଙ୍କୁ ଆଇପିସି ଧାରା ୧୮୮, ୨୬୯, ୨୭୦ ଏବଂ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୧୦୦ଦଫା ଲଗାଯାଇ ଗିରଫ କରାଯିବ ।
ଅପରପକ୍ଷରେ କେବଳ ଜରୁରୀ ସେବା ଯୋଗାଉଥିବା ଗାଡି ଓ ବ୍ୟକ୍ତି ବିଶେଷକୁ ଛାଡିଲେ, ଅନ୍ୟ କେହି ରାସ୍ତାରେ ଯାତାୟତ କରିବା ଉପରେ କଟକଣା ଜାରି କରାଯାଇଛି । ଲକ୍ଡାଉନ ସମୟରେ ଗାଡ଼ି ବଦଳରେ ଲୋକମାନେ ଚାଲି ଚାଲି ଅତ୍ୟାବଶ୍ୟକ ସାମଗ୍ରୀ ଆଣିପାରିବେ । ଏଥିପାଇଁ ପ୍ରତି ଘରୁ ଜଣେ ସଦସ୍ୟଙ୍କୁ ନିୟୋଜିତ କରନ୍ତୁ । ସେହି ସଦସ୍ୟଙ୍କୁ ଆବଶ୍ୟକୀୟ ସମୟରେ ବାହାରକୁ ଛାଡ଼ନ୍ତୁ । ନଚେତ ବାହାରକୁ କେହି ଯାଆନ୍ତୁନାହିଁ । ଏହାସହ ବାରମ୍ବାର ସାବୁନରେ ହାତ ସଫା କରନ୍ତୁ । ଲକ୍ ଡାଉନ ସମୟରେ କେତେକ ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ନେଇ ସରକାର ନିଷ୍ପତି ନେଇଛନ୍ତି । ଏହି କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ରାସ୍ତାରେ ଯିବା ପାଇଁ ଭେଇକିଲ ପାସ୍ ଯୋଗାଇ ଦିଆଯିବ । ସେହିପରି ବ୍ୟାଙ୍କ କର୍ମଚାରୀ ତାଙ୍କର ପରିଚୟ ପତ୍ର ଦେଖାଇ ଅଫିସ ଯାଇପାରିବେ । ଯେଉଁମାନେ ଟ୍ରେନ୍ କିମ୍ବା ବସ ଓ ପ୍ଲେନରେ କୁଆଡ଼େ ଯାତ୍ରା କରୁଛନ୍ତି । ସେମାନେ ତାଙ୍କର ଟିକେଟ ପାଖରେ ରଖନ୍ତୁ । ନଚେତ ସେମାନେ ଯାଞ୍ଚ ସମୟରେ ହଇରାଣ ହୋଇପାରନ୍ତି ବୋଲି କମିଶନର କହିଛନ୍ତି ।