ସିଏଏ ପ୍ରସଙ୍ଗରେ ବିରୋଧୀଙ୍କୁ ସମାଲୋଚନା, ନାଗରିକତା ନେବାର ନୁହେଁ, ଦେବାର ଆଇନ୍‌ – ଅମିତ ଶାହା

0

‘ସିଏଏ ପ୍ରସଙ୍ଗରେ ବିରୋଧୀଙ୍କୁ ସମାଲୋଚନା
ରାମ ମନ୍ଦିର ନିର୍ମାଣ, ଧାରା ୩୭୦କୁ ନେଇ ବିରୋଧୀଙ୍କୁ ନିଶାନା
ସିଏଏ ନାମରେ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ’

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିଏଏ ନାଗରିକତା ନେବାର ନୁହେଁ, ନାଗରିକତା ଦେବାର ଆଇନ୍‌ । ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନ ସଭାରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି। ଏହା ଦ୍ୱାରା ଜଣେ ହେଲେ ବି ସେମାନଙ୍କର ନାଗରିକତା ହରାଇବେ ନାହିଁ। ବି‌ଶେଷ କରି ଦେଶର ଜଣେ ହେଲେ ବି ମୁସଲମାନ ବା ସଂଖ୍ୟାଲଘୁ ବ୍ୟକ୍ତି ଏହି ଆଇନ ଦ୍ୱାରା ନାଗରିକତା ହରାଇବେ ନାହିଁ। ଏହା ମୁଁ ଅତ୍ୟନ୍ତ ଦୃଢ଼ତାର ସହ କହୁଛି। ଅନ୍ୟ ପକ୍ଷରେ ସିଏଏ କୁ ସମର୍ଥନ ଜଣାଇ ହଜାର ହଜାର ଜନତା ଉପସ୍ଥିତ ଥିଲେ ।

ବିରୋଧୀ ମାନେ ଭାରତୀୟମାନଙ୍କୁ ପଥଭ୍ରଷ୍ଟ କରିବାକୁ ସିଏଏର ଭୁଲ ତର୍ଜମା କରୁଛନ୍ତି। ଏହି ଆଇନର କେଉଁଠି ହେଲେ ବି କାହାର ନାଗରିକତା ହରାଇବାର ପ୍ରାବଧାନ ନାହିଁ। ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଁ ସଂସଦରେ ଘୋଷଣା କରିଛୁ। ଯେଉଁ ସଂଖ୍ୟାଲଘୁମାନେ ପଡୋଶୀ ରାଷ୍ଟ୍ରରେ ଧର୍ମିକ ହିଂସାର ଶିକାର ହୋଇ ଭାରତ ପଳାଇ ଆସିଛନ୍ତି, ସେମାନଙ୍କୁ ଏହି ଆଇନ ନାଗରିକତା ପ୍ରଦାନ କରିବ। ଏଥିସହ ଅମିତ ଶାହା ନିଜର ଅଭିଭାଷଣରେ କହିଥିଲେ, ସିଏଏକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କମ୍ୟୁନିଷ୍ଟ ବିରୋଧ କରିଛନ୍ତି।

ସେମାନେ କହୁଛନ୍ତି ସିଏଏ ଯୋଗୁଁ ଦେଶର ଅସୁବିଧା ହେବ। କିନ୍ତୁ ମୁଁ କହୁଛି, ସିଏଏ କାହାର ନାଗରିକତା ଛଡାଇ ନେବ ନାହିଁ। ବରଂ ଏହା ନାଗରିକତା ପ୍ରଦାନ କରିବ। ଏହା ଦ୍ବାରା କୌଣସି ମୁସଲମାନଙ୍କର ଅସୁବିଧା ହେବ ନାହିଁ। କଂଗ୍ରେସର ନେତା ୨୭ଥର ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କଲେ କ’ଣ? ଯେଉଁମାନେ ନିଜର ଧର୍ମକୁ ବଞ୍ଚାଇବା ପାଇଁ ଭାରତର ଶରଣ ନେଇଛନ୍ତି ସେମାନଙ୍କୁ ନାଗରିକତା ମିଳିବା ଦରକାର।

ମୋଦୀ ସରକାର ଦେଶର ବହୁ ପ୍ରସଙ୍ଗ ନେଇ ଦେଖାଯାଇଥିବା ସମସ୍ୟାର ସମାଧାନ କରିଛନ୍ତି ବୋଲି ଅମିତ ଶାହା କହିଥିଲେ। ଗତ ଅଗଷ୍ଟ ୫ରେ କଶ୍ମୀରରୁ ଧାରା ୩୭୦ ହଟାଇ ମୋଦୀ ଐତିହାସିକ କାମ କରିଛନ୍ତି। ସାଧାରଣ ଜନତାଙ୍କୁ ଶାହା ପ୍ରଶ୍ନ କରିଥିଲେ? ସେ କହିଥିଲେ, ରାମ ମନ୍ଦିର ନିର୍ମାଣ ହେବା ଦରକାର କି ନାହିଁ। ଶାହା କହିଥିଲେ, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। ଏଥି ପାଇଁ ମୋଦୀ ସରକାର କାମ କରିଛନ୍ତି।

ଅମିତ ଶାହା କହିଥିଲେ, ମୋଦୀ ସରକାର ଦେଶର ଆର୍ଥିକ ବିକାଶ ଦରକୁ ବଢ଼ାଇ ବିଶ୍ୱର ୩ୟ ଆର୍ଥିକ ସମୃଦ୍ଧ ଦେଶ ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଦେଶର ସମୃଦ୍ଧ, ଶିଖିତ, ଗୌରବ ଆଣିବା ପାଇଁ ମୋଦୀ ସରକାର ଉଦ୍ୟମ କରୁଛନ୍ତି। ନବୀନ ସରକାର ବିକାଶ ମୂଳକ କାମକୁ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ ବୋଲି ଶାହା କହିଛନ୍ତି।

ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାତୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ,ସାଂସଦ ଅପରାଜିତ ଷଡ଼ଙ୍ଗୀ, ସମୀର ମହାନ୍ତି,ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା ସମ୍ବିତ ପାତ୍ର, ଜୁଏଲ ଓରାମ, ଅରୁଣ ସିଂହ, ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment