ମହିଳା ଭକ୍ତଙ୍କୁ ଅସଦାଚରଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରତ୍ନ ଭଣ୍ଡାର ଚାବି ହଜିବା, ମହାପ୍ରଭୁଙ୍କ ନୀତି ବିଳମ୍ବ ଆଦି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଶ୍ରୀ ମନ୍ଦିରରେ ବଢ଼ି ଚାଲିଛି ଭକ୍ତ ଙ୍କ ପ୍ରତି ଦୁର୍ବ୍ୟବହାର ଘଟଣା। ସେବାୟତମାନେ କେତେବେଳେ ଭକ୍ତ ଙ୍କୁ ଗାଳି ଦେବା ତ ଆଉ କେତେବେଳେ ଭକ୍ତଙ୍କ ସହ ଧସ୍ତାଧସ୍ତି କରିବା ଘଟଣା ସମ୍ନାକୁ ଆସୁଛି। ସେହିପରି ରବିବାର ଦିନ ଜଣେ ସେବକ ଏକ ମହିଳା ଙ୍କୁ ଅସଦାଚରଣ କରିଥିବା ଜଣାପଡିଛି।
ଘଟଣା କ୍ରମେ
ରବିବାର ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ଜଣେ ମହିଳା ଭକ୍ତଙ୍କୁ ମନ୍ଦିର ପରିସରରେ ଅସଦାଚରଣ କରିଛନ୍ତି ଜଣେ ସେବକ। ଏହି ଘଟଣାରେ ସିଂହଦ୍ୱାର ପୋଲିସ ସମ୍ପୃକ୍ତ ସେବକ ଜଣଙ୍କୁ ଗିରଫ କରିଛି। ସେବକ ଜଣଙ୍କ ଶ୍ରୀମନ୍ଦିର ର ବଲ୍ଲଭ ସେବକ ସନ୍ତୋଷ କର ବୋଲି ଜଣାପଡିଛି।
ନାଟ ମଣ୍ଡପ ନିକଟରେ ସେବକ ଜଣଙ୍କ ମହିଳା ଭକ୍ତ ଜଣଙ୍କୁ ଅସଦାଚରଣ କରିଥିବା ନେଇ ରବିବାର ଅପରାହ୍ନରେ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା। ସମ୍ପୃକ୍ତା ମହିଳା ଓ ତାଙ୍କ ମାଙ୍କ ଅଭିଯୋଗକ୍ରମେ ପୋଲିସ ସନ୍ତୋଷକୁ ଗିରଫ କରିଥିଲା। ସଂନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଶ୍ରୀମନ୍ଦିର ପରିସରରେ ଏଭଳି ଅଘଟଣ ପୋଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଭକ୍ତ ମହଲରେ ଉଦବେଗ ପ୍ରକାଶ ପାଇଛି। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ମନ୍ଦିର ପରିସରରେ ଏଭଳି ଘଟଣା ବାରମ୍ବାର ଘଟୁଛି।