‘ଇଚ୍ଛାଶକ୍ତି ଓ ‘ଆନ୍ତରିକତା ଅଭାବ’ ଭଳି ରୋଗର ଶିକାର ହୋଇଛନ୍ତି ରାଜ୍ୟ ସରକାର: ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେରୋଜଗାର ଓ ଦାଦନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍କିଲ୍ ମିଶନ କଥା କହି ବିଭ୍ରାନ୍ତ ସୃଷ୍ଟ କରୁଛନ୍ତି ତ ମିଛ ତଥ୍ୟ ଦେଇ ପୁରସ୍କାର ନେଉଛନ୍ତି। ଏସବୁ ସତ୍ତ୍ୱେ ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ କୌଣସି ବଳିଷ୍ଠ ପଦକ୍ଷେପ ନେଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ରାଜ୍ୟ ସରକାର ଇଚ୍ଛାଶକ୍ତି ଅଭାବ ଓ ଆନ୍ତରିକତା ଅଭାବ ଭଳି ୨ଟି ରୋଗର ଶିକାର ହୋଇଛନ୍ତି ବୋଲି ବିଜେପି କହିଛି।ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ମନରେଗା ଯୋଜନା ସଂପୂର୍ଣ୍ଣ ଫେଲ ହୋଇଛି। ଶସ୍ୟ ଅମଳ ପରେ ରୋଜଗାର ଅନ୍ୱେଷଣରେ ଚାଷୀକୂଳ ଦାଦନ ଖଟିବା ପାଇଁ ବାହାରକୁ ପଳାୟନ କରୁଛନ୍ତି । ରାଜ୍ୟର ଅଧିକାଂଶ ବ୍ଲକରେ ମନରେଗା ଯୋଜନା ସଠିକ କାର୍ଯ୍ୟକାରୀ ହେଉନାହିଁ। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଅଭାବ, ଶିଳ୍ପମାରଣ ନୀତି ଓ ଉତ୍ପୀଡ଼ନ କାରଣରୁ କ୍ଷୁଦ୍ର ଶିଳ୍ପଦ୍ୟୋଗୀଗୁଡ଼ିକ ମୃତ୍ୟୁଶଯ୍ୟାରେ ପଡ଼ିଲେଣି।

ଏହି କାରଣରୁ ନୂଆ ଶିଳ୍ପଦ୍ୟୋଗୀମାନେ ନୂତନ ଶିଳ୍ପ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି କହିବା ସହ ଏଭଳି ସ୍ଥିତିରେ କିପରି ନିଯୁକ୍ତି ସୃଷ୍ଟି କରାଯାଇ ପାରିବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତିା ୫ଲକ୍ଷ କୋଟି ନିବେଶ ଶିଳ୍ପାୟନର ସ୍ୱପ୍ନ ଦେଖାଇ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ଗତ ୫ ବର୍ଷରେ କେତେ ସଂଖ୍ୟାରେ ନୂତନ ଶିଳ୍ପ ସୃଷ୍ଟି କରି କେତେ ସଂଖ୍ୟାରେ ନୂତନ ନିଯୁକ୍ତି ସୃଷ୍ଟି କରିଛନ୍ତି , କେଉଁ ଜିଲ୍ଲାରେ କେତେ ଶିଳ୍ପ ଅଛି, କେତେ ଲାଭପ୍ରଦାନକାରୀ ଶିଳ୍ପ ସଂସ୍ଥା ଅଛି ଓ କେତେ ସଂଖ୍ୟାରେ ନିଯୁକ୍ତି ପ୍ରଦାନ କରାଯାଇଛି ତା’ଉପରେ ପ୍ରଶ୍ନ ଉଠାଇ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।
ଦୀନଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଫାଇଦା ଦେଶର ଅନ୍ୟ ରାଜ୍ୟଗୁଡ଼ିକ ନେଉଥିବାବେଳେ ଓଡ଼ିଶା ବିଫଳ ହେଉଛି। ସ୍କିଲ ମିଶନରେ ୯୦ହଜାରରୁ ଉର୍ଦ୍ଧ୍ୱ ପ୍ରଶିକ୍ଷିତ ହୋଇଥିବାବେଳେ କେତେ ଜଣଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ ରାଜ୍ୟସରକାରଙ୍କ କୌଣସି ନିର୍ଦ୍ଧିଷ୍ଟ ଯୋଜନା ନାହିଁ। ବେଳ ଥାଉଥାଉ ରାଜ୍ୟସରକାର ସଠିକ ପଦକ୍ଷେପ ଗ୍ରହଣ ନକଲେ ରାଜ୍ୟରେ ନିଯୁକ୍ତି ସୃଷ୍ଟିର ଭିତ୍ତିଭୂମି ଭୂଷୁଡ଼ି ପଡ଼ିବ। କେବଳ ସରକାରୀ ସଂସ୍ଥା ନୁହେଁ ବରଂ ବେସରକାରୀ ସଂସ୍ଥାରେ ମଧ୍ୟ ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟସରକାର ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେପି ପରାମର୍ଶ ଦେଇଛି।

Leave a comment