ମାନିଲା ପୋଲିସ, ଦୋଷ ଲୁଚେଇବାକୁ ଯାଇ ପୋଲିସର ଚାଏ ପେ ଚର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ଜାମ ରେ ଆମ୍ବୁଲାନ୍ସ ଫସି ଶିଶୁ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ । ଏ ନେଇ ରାଜ୍ୟ ମାନବାଧିକାର କମିଶନ ଓ ଶିଶୁ ସୁରକ୍ଷା ଆୟୋଗ କମିଶନରେଟ ପୋଲିସକୁ ଓ କ୍ୟାପିଟାଲ ହସ୍ପିଟାଲକୁ ରୋପଟ ତଲବ କରିଛନ୍ତି । ପୋଲିସ ନିଜ ଦୋଷ, ଦୁର୍ବଳତାକୁ ଲୁଚାଇବାକୁ ଏବେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି । ଭୁଲ କେଉଁଠି ରହିଲା ତାର ସମୀକ୍ଷା ନ କରି ଟ୍ରାଫିକ ଡିସିପି ଓ ଖୋଦ କମିଶନର ଟ୍ୱିଟ ଯୋଗେ ଜାପାନ କିପରି ଆମ୍ବୁଲାନ୍ସ ଯାଏ ତାହାର ଉଦାହରଣ ଦେଇ ଏକ ଭିଡିଓ ଜାରି କରିଥିଲେ ।

ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଯାଇ ଆମ୍ବୁଲାନ୍ସ ଡ୍ରାଇଭର ମୁଣ୍ଡରେ ଦୋଷ ଲଦିବା ସହ ମୃତ ଶିଶୁଟିର ବାପା ଟ୍ରାଫିକ ଜାମରେ ପ୍ରାୟ ଏକ ଘଣ୍ଟା ଲାଗିଥିବା କଥା ଭୁଲ କହୁଥିବା ପ୍ରକାଶ କରିଥିଲେ । ପୁଣି ବହୁରୂପୀ ଏଣ୍ଡୁଅ ଭଳି ବାରମ୍ବାର ନିଜ ରଙ୍ଗ ବଦଳାଉଥିବା ପୋଲିସ ଆଜି ସିସି ଟିଭି ଫୁଟେଜ ସମୟ ଟ୍ୱିଟ ଯୋଗେ ପ୍ରକାଶ କରିଛନ୍ତି । ଆମ୍ବୁଲାନ୍ସଟି କୌଣସି ଟ୍ରାଫିକ ଜାମରେ ଫସି ନଥିବା ଓ କ୍ୟାପିଟାଲ ହସ୍ପିଟାଲ ରୁ କିମ୍ସ ୨୨ମିନିଟ ୩୮ସେକେଣ୍ଡରେ ପହଞ୍ଚିଥିବା ଏଥିରେ ଦର୍ଶାଇଛନ୍ତି । ଏହାକୁ ମୃତ ଶିଶୁଟିର ବାପା ଖଣ୍ଡନ କରିବା ସହ ସେ ମିଛ କହୁନଥିବା କହିଛନ୍ତି ।

ଏ ଘଟଣା ନେଇ ପରିବହନ ମନ୍ତ୍ରୀ ସଚିବାଳୟରେ ଗଣମାଧ୍ୟମ ଆଗରେ କହିଛନ୍ତି, ଆମ୍ବୁଲାନ୍ସ ଆସୁଥିବା ଦେଖି ମଧ୍ୟ ଟ୍ରାଫିକ କାହିଁକି ସେ ଲାଇନରେ ଥିବା ଗାଡିକୁ ଆଗ ଛାଡ଼ିଲା ନାହିଁ ବୋଲି ଓଲଟା ପ୍ରଶ୍ନ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ନିୟମ ଅନୁଯାୟୀ ଆମ୍ବୁଲାନ୍ସ ଆସୁଥିବା ଲାଇନକୁ ପ୍ରଥମେ ଛାଡିବା କଥା ।

ପୋଲସ କାର୍ଯ୍ୟାନୁଷ୍ଠାନ ବଦଳରେ ନିଜ ଦୋଷ ଲୁଚାଇବାକୁ ଯାଇ କିଛି ନିର୍ଦ୍ଧିଷ୍ଟ ସମ୍ବାଦିକା ‘ଚାଏ ପେ ଚର୍ଚ୍ଚା’ ଲାଗି ଡାକିଥିଲେ । ସେଠାରେ ପୁଲିସର ମୁଖିଆମାନେ ଟ୍ରାଫିକ ଜାମରେ ଶିଶୁର ମୃତ୍ୟୁ ହୋଇନଥିବା କଥା ବଖାଣିଥିଲେ । ଆମ୍ବୁଲାନ୍ସଟି କ୍ୟାପିଟାଲ ହସପିଟାଲରୁ କିମ୍ସକୁ ମାତ୍ର ୨୨ ମିନିଟ ୩୮ ସେକେଣ୍ଡରେ ପହଂଚିଥିବା କଥା କହିବା ସହ ଆମ୍ବୁଲାନ୍ସକୁ ଦଦରା ଓ ଚାଳକକ ଅନଭିଜ୍ଞ ବୋଲି କହିଥିଲେ । ସାମ୍ବାଦିକ ମାନେ କିପରି ପୋଲିସ ବିରୁଦ୍ଧରେ କୌଣସି ଖବର ପ୍ରକାଶ ନକରିବେ ସେ ନେଇ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପୋଲିସ ହଁ ରେ ହଁ ମିଳାଇଥିଲେ ।

ଅପରପକ୍ଷରେ ପୋଲିସ ଘଟଣାଟିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ଆଜି ଜନ ସଚେତନତା କାର୍ଯ୍ୟକ୍ରମ “ଗିଫ୍ଟ ନିଅ ଆମ୍ବୁଲାନ୍ସ କୁ ରାସ୍ତା ଦିଅ” କୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତଦନ୍ତ କରି ନିଜ ଦୋଷ ତ୍ରୁଟି କୁ ସୁଧାରିବା ବଦଳରେ ପୋଲିସର ‘ଚାଏ ପେ ଚର୍ଚ୍ଚା’ ଓ ସଚେତନତା କାର୍ଯ୍ୟକ୍ରମ କୁ ନେଇ ସାଧାରଣ ଜନତା ଅଟହାସ୍ୟ କରୁଥିବା ଶୁଣିବାକୁ ମିଳୁଛି ।

Leave a comment

You cannot copy content of this page