ବସ୍ରେ ବିଦ୍ୟୁତ୍ ତାର ଲାଗିବା ଘଟଣା: ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି

ଓଡିଶା ଫାଷ୍ଟ( ବ୍ୟୁରୋ):ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଏକ ବସ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି 9 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ଘଟଣା ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଘଟିଛି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଦାଙ୍କୁଲୁପାଡୁ ଗାଁର ବରପକ୍ଷର ୪୩ ଜଣ ବ୍ୟକ୍ତି ଏକ ବସ୍ରେ ନିର୍ବନ୍ଧ ପାଇଁ କନ୍ୟାଘର ଶିଖରଡ଼ା ଅଭିମୁଖେ ଯାଉଥିଲେ। ମେଲପତୁରୁ ଗାଁ ନିକଟରେ ବସ୍ଟି ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ପ୍ରାୟ ୩୦ ମିନିଟ୍ ପରେ ସ୍ଥାନୀୟ ଲୋକେ ବିଦ୍ୟୁତ ସରବରାହ ଛିହ୍ନ କରି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରୁ ୯ ଜଣଙ୍କ ମୃତ୍ୟୁଦେହ ଉଦ୍ଧାର କରିଛି। ଏପରିକି ୩୫ ଜଣ ଗୁରୁତରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରିଛନ୍ତି ଅଗ୍ନିଶମ କର୍ମଚାରୀ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।