‘ପୁରୀ ଐତିହ୍ୟ କରିଡର ପାଇଁ ବଦଳିବ ନାହିଁ ଶ୍ରୀମନ୍ଦିର ନୀତି ଓ ପରମ୍ପରା’

0

ଓଡିଶା ଫାଷ୍ଟ( ବ୍ୟୁରୋ):ଶ୍ରୀକ୍ଷେତ୍ରରେ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ହେବାକୁ ଥିବା ଐତିହ୍ୟ କରିଡର ନିର୍ମାଣ ଯୋଗୁଁ କୌଣସି ଶ୍ରୀମନ୍ଦିର ନୀତିକାନ୍ତି ତଥା ପରମ୍ପରା ପ୍ରଭାବିତ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରିଶନ କୁମାର । ମଙ୍ଗଳବାର ଓଡିଶା ସେତୁ ଓ ନିର୍ମାଣ ନିଗମର କନଫରେନ୍ସ ହଲରେ ଆୟୋଜିତ ଏକ ଆଲୋଚନା ବୈଠକରେ ଐତିହ୍ୟ କରିଡର ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଭୂମିପୁତ୍ର କମ୍ପାନୀ ଉପସ୍ଥିତ ସରକାରୀ ଅଧିକାରୀ ତଥା ସମସ୍ତ ଅଂଶୀଦାରଙ୍କୁ ଏହାର ଯୋଜନା ବିଷୟରେ ବିସ୍ତାରରେ ବୁଝାଇଥିଲା । ଏହି ଆଲୋଚନାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବିଭିନ୍ନ ନିଯୋଗ ସମିତି, ବିସ୍ଥାପିତ ସାହି ପରିବାର ତଥା ସେବାୟତଙ୍କ ପ୍ରତିନିଧି ଯୋଗ ଦେଇଥିଲେ । ତେବେ ଏଭଳି କୌଣସି ପରମ୍ପରା ଭଙ୍ଗ ହେବ ନାହିଁ ବୋଲି ମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଶନ କୁମାର କହିଥିଲେ ।

ମନ୍ଦିର ନୀତି କାନ୍ତି ପ୍ରସ୍ତାବିତ ଐତିହ୍ୟ କରିଡର ନିର୍ମାଣ ହେଲେ ଶ୍ରୀମନ୍ଦିର ସାମ୍ନାରେ ଅନେକ କଳାକୃତି ଓ ବୃକ୍ଷଲତା ସ୍ଥାନ ପାଇବ । ଏପରି ହେଲେ ସାହି ପରମ୍ପରା ଅନୁସାରେ ଅରୁଣ ସ୍ତମ୍ଭ ଆଗରେ ମୃତ୍ୟୁ ପରେ ଶେଷ ଦର୍ଶନ କରିବା ତଥା ଦେବତା ଓ ଚଳନ୍ତି ପ୍ରତିମାମାନଙ୍କ ପହଣ୍ଡି ହେବାରେ ଅସୁବିଧା ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ସେହିଭଳି ରଥଖଳାରେ ରଥ ନିର୍ମାଣ, ନୀଳାଦ୍ରି ବିଜେ ଇତ୍ୟାଦି ନିମନ୍ତେ ଆବଶ୍ୟକ ପରିମାଣରେ ସ୍ଥାନ ରହିବ କି ନା ସେ ବିଷୟରେ ମଧ୍ୟ ମନ୍ଦିର ନୀତିକାନ୍ତିରେ ସାମିଲ ଅନେକ ବ୍ୟକ୍ତି ଆଶଙ୍କା ପ୍ରକାଶ କରିଥିଲେ ।ଏହି ଆଲୋଚନାରେ ଭାଗ ନେଇ ପୂର୍ତ୍ତ ସଚିବ କହିଥିଲେ କି ସମ୍ପ୍ରତି ପୁରୀ ଐତିହ୍ୟ କରିଡର ଯୋଜନାର କେବଳ ଚିଠା ପ୍ରସ୍ତାବକୁ ସାର୍ବଜନୀନ କରାଯାଇଛି ଓ ଏହା ଚୁଡାନ୍ତ ଯୋଜନା ନୁହେଁ । ଏଣୁ ଅଂଶୀଦାରମାନେ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ସେ ସମସ୍ତ ପ୍ରସଙ୍ଗକୁ ଆଖି ଆଗରେ ରଖି କିପରି ଯୋଜନାକୁ ସଂଶୋଧିତ ବା ପରିବର୍ଦ୍ଧିତ କରାଯାଇପାରିବ ସେ ବିଷୟରେ ଖୁବ ଶୀଘ୍ର ଏକ କ୍ଷୁଦ୍ର କମିଟି ନିଷ୍ପତ୍ତି ନେବ । ଏହି ଆଲୋଚନାରେ ମହାରାଜା ଦିବ୍ୟସିଂହ ଦେବ ବଡଦାଣ୍ଡରେ ଶ୍ରୀମନ୍ଦିର କରିଡର ଅଞ୍ଚଳରେ ଏକ ଯଜ୍ଞଶାଳା ନିର୍ମାଣ କରିବାର ପ୍ରସ୍ତାବ ରଖିଥିଲେ । ସେହିପରି ଏହି କରିଡରରେ ସ୍ଥାନିତ ହେଉଥିବା ସମସ୍ତ କଳାକୃତିରେ ଉତ୍କଳୀୟ ସ୍ଥାପତ୍ୟ ପରମ୍ପରାର ଝଲକ ରହିବା ଆବଶ୍ୟକ ବୋଲି ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ ସ୍ଥପତି ରଘୁନାଥ ମହାପାତ୍ର ମତବ୍ୟକ୍ତ କରିଥିଲେ । ଏହି ସବୁ ମତାମତକୁ ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀ କୁମାର କହିଥିଲେ । ପୁରୀ କରିଡରରେ ଦୈନିକ ପ୍ରାୟ ପାଞ୍ଚ ହଜାର ଲୋକ ବସି ମହାପ୍ରସାଦ ଭୋଜନ କରିପାରିଲା ଭଳି ଏକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି ଓ ଏହାକୁ ଚୁଡାନ୍ତ ଯୋଜନାରେ ସାମିଲ କରାଯିବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡଃ କୁମାର କହିଥିଲେ ।

Leave a comment