ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ସବୁ ମଣ୍ଡିରୁ ଧାନ କିଣାଯିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଓଡିଶା ଫାଷ୍ଟ( ବ୍ୟୁରୋ): ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସବୁ ମଣ୍ଡିରୁ ଧାନ ଉଠିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ବଲପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେବା ଅବସରେ ଗଣମାଧ୍ୟମକୁ ଏହା କହିଛନ୍ତି। ମିଲର୍ସ ମାନେ ଚାଷୀଙ୍କୁ ଯେତେ ହଇରାଣ କଲେ ବି ଧାନ କିଣା ରୋକି ପାରିବେ ନାହିଁ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି। ଏବେ ସୁଦ୍ଧା ଚାଷୀଙ୍କୁ ଧାନ କିଣା ବାବଦରେ ସରକାର ୫ହଜାର କୋଟି ଟଙ୍କା ପ୍ରଦାନ କରିସାରିଲେଣି। ଗତବର୍ଷ ରାଜ୍ୟରେ ୧୦ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏବର୍ଷ ୧୨ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକୃତ ହୋଇଛନ୍ତି। ଏନେଇ ବିଭାଗ ୨୪ ଘଣ୍ଟା କା।ର୍ଯ୍ୟ କରୁଛି। ଟୋକନ ସମସ୍ୟା ପାଇଁ ପଶ୍ଚିମ ଓଡ଼ିଶାରେ ଧାନ ବିକ୍ରି କରି ନ ପାରି ଚାଷୀ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଥିବା ବେଳେ ମନ୍ତ୍ରୀ ଏବେ ମାର୍ଚ୍ଚ ଶେଷ ସୁଦ୍ଧା ସବୁମଣ୍ଡିରୁ ଧାନ କିଣାଯିବା ନେଇ ଗ୍ୟାରେଣ୍ଟି ଦେଇଛନ୍ତି ।