ପୂରା ରାଜ୍ୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ
ଓଡିଶା ଫାଷ୍ଟ( ବ୍ୟୁରୋ): ଆଜି ପୂରା ରାଜ୍ୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଥିଲା। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ଅନୁଷ୍ଠିତ ପରେଡ଼ରେ ୪୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ୧୨ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ସାମିଲ ହୋଇଥିଲେ। ସେହିପରି ବିଭିନ୍ନ ଜିଲ୍ଲା ସଦର ମହକୁମା, ସବ୍ ଡିଭିଜନ୍, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ବଲାଙ୍ଗିରର ମନୋହରପୁର ରିଜର୍ଭ ପୁଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ମହୋତ୍ସବରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏଠାରେ ଅନୁଷ୍ଠିତ ହୋଇଥିବା ଚିତ୍ତାକର୍ଷକ ପରେଡରେ ୪୧ ଟି ଦଳ ଭାଗ ନେଇଥିଲେ। ତେବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ଼। ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜର ୬ଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଓଡ଼ିଶା ହାଇକୋର୍ଟରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପୁଲିସ୍ ବ୍ୟାଣ୍ଡ ଦ୍ଵାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ସଦରମହାକୁମା ଛତ୍ରପୁର ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।
କେନ୍ଦୁଝର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ବାଲେଶ୍ୱର ଜିଲ୍ଲା ନୀଳଗିରି ଷ୍ଟାଡିୟମ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।