କ୍ଷତିଗ୍ରସ୍ତ ଫଳ ବ୍ୟବସାୟୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇବାକୁ ଅମରେଶ ଦେଲେ ପ୍ରତିଶ୍ରୁତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪୫ନଂ ୱାର୍ଡର ପୂର୍ବତନ କର୍ପୋରେଟର ତଥା ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅମରେଶ ଜେନା(ବାଇଁଆ) ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କଳ୍ପନା ଛକ ସ୍ଥିତ ଭେଣ୍ଡିଂ ଜୋନରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଫଳ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ଆଜି ସକାଳେ ଭେଟିବା ସହ ସେମାନଙ୍କ କ୍ଷୟ କ୍ଷତି ସମ୍ୱନ୍ଧରେ ପଚାରି ବୁଝିଥିଲେ । ଅମରେଶଙ୍କ ଏହା ନିଜ ନିର୍ବାଚନ ୱାର୍ଡ ନହୋଇ ମଧ୍ୟ ସେ ସମସ୍ତ ବ୍ୟବସାୟୀ ମାନଙ୍କୁ ସାନ୍ତ୍ବନା ଦେଇ ସରକାରୀ ସ୍ତରରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨.୩୦ରେ ସଟ୍ ସର୍କିଟ ଯୋଗୁ କଳ୍ପନା ଛକ ମା’ ତାରିଣୀ ଭେଣ୍ଡିଂ ଜୋନ ଫଳ ଦୋକାନ ଗୁଡିକରେ ନିଆଁ ଲାଗିଯାଇଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ୧୭ରୁ ଉର୍ଦ୍ଧ୍ବ ଫଳ ଦୋକାନ ପୋଡି ଛାରଖାର ହୋଇଯାଇଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି । ପୂର୍ବରୁ ମଧ୍ୟ ୨୦୧୫ ମସିହାରେ ଏହି ଭେଣ୍ଡିଂ ଜୋନ ରେ ନିଆଁ ଲାଗି ୨୫ ଟି ଦୋକାନ ପୋଡି ଯାଇଥିଲା ।