ଜାଗା ମିଶନକୁ ନେଇ ଭୁଲ ତଥ୍ୟ ଦେଇଛନ୍ତି ସରକାର, ଜମି ପଟ୍ଟା ନାଁରେ ଦେଇଛନ୍ତି ଖଣ୍ଡେ କାଗଜ : ଲେଖାଶ୍ରୀ

ଓଡିଶାର ସରକାରଙ୍କ ଜାଗା ମିଶନକୁ ଓ୍ୱାର୍ଲ୍ଡ ହାବିଟାଟ୍ ଆଓ୍ୱାର୍ଡ ମିଳିଥିବା ସରକାର ଦାବି କରୁଥିବା ପ୍ରସଙ୍ଗରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ନିକଟରେ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରିଛନ୍ତି, “ଓ୍ୱାର୍ଲ୍ଡ ହାବିଟାଟ୍ ଆଓ୍ୱାର୍ଡ ପୁରସ୍କାରର ଓ୍ୱିନର ଓଡିଶା’ । ଏହାକୁ ନେଇ ରାଜ୍ୟ ସରକାର ଭୁଲ ତଥ୍ୟ ଦେଇଥିବା ଦାବୀ କରିଛି ବିଜେପି ।
ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଜାଗା ମିଶନକୁ ପ୍ରଥମ ସ୍ଥାନ ମିଳିଛି ବୋଲି ଗଣମାଧ୍ୟମକୁ ସୁଚନା ଦେଇ କହିଥିଲେ। କିନ୍ତୁ ଓ୍ୱାର୍ଲ୍ଡ ହାବିଟାଟ୍ ଆଓ୍ୱାର୍ଡର ଅଫିସିଆଲର ଓ୍ୱେବ ସାଇଟ ଅନୁସାରେ କର୍ଣାଟକର ଆଦିବାସୀ ଅଞ୍ଚଳରେ କାମ କରୁଥିବା ଆକ୍ସନଏଡ ଇଣ୍ଡିଆ ଓ ସ୍ପେନର ଏକ ସଂସ୍ଥା କୁ ପ୍ରଥମ ପୁରସ୍କାର ମିଳିଛି । ରାଜ୍ୟ ସରକାରଙ୍କ ଜାଗା ମିଶନ ପ୍ରକଳ୍ପକୁ ଏହି ପୁରଷ୍କାର ପାଇଁ ଫାଇନାଲ ରାଉଣ୍ଡକୁ ମନୋନିତ କରାଯାଇଥିଲା । ୱାର୍ଲଡ଼ ହାବିଟାଟ ଆୱାର୍ଡ ରେ ବିଜେତା ମାନଙ୍କୁ ସ୍ଵର୍ଣ ପଦକ ଦିଆଯାଏ। ଫାଇନାଲିଷ୍ଟ ମାନଙ୍କୁ ସିଲଭର ଓ ବ୍ରୋଞ୍ଜ ପଦକ ଦିଆଯାଏ। ପୁରସ୍କାର ପ୍ରଦାନ କରିଥିବା ସଂସ୍ଥା ନିଜର ଅଫିସିଆଲ ୱେବସାଇଟରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି । ତେବେ ସରକାରୀ ବିଜ୍ଞାପନ ଓ ବିଭାଗୀୟ ମନ୍ତ୍ରୀଙ୍କ ବୟାନ ଉଭୟ ସ୍ଥାନରେ ନିଜକୁ ବିଜେତା ବୋଲି କହିଛନ୍ତି। ଯାହାକି ଭ୍ରମାତ୍ମକ।
ଆଉ ଗୋଟିଏ ସାଙ୍ଘାତିକ କଥା ହେଉଛି, ପୁରସ୍କାର ପାଇବା ପାଇଁ ରାଜ୍ୟ ସରକାର ଜାଗା ମିଶନର ହିତାଧିକାରୀ ସଂଖ୍ୟା ସମ୍ପର୍କରେ ଭୁଲ ତଥ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦୧୮ ମସିହାରେ ଜାଗା ମିଶନ ଉଦଘାଟନ କଲାବେଳେ ବିଭିନ୍ନ ସମୟରେ ସରକାରୀ ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ଅନୁସାରେ ୧୦ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଲାଭ ମିଲିବା ଯୋଜନା ରହିଛି। ତେବେ ଓ୍ୱାର୍ଲ୍ଡ ହାବିଟାଟ୍ ଆଓ୍ୱାର୍ଡ ଓ୍ୱେବସାଇଟରେ ହିତାଧିକାରୀଙ୍କ ସଂଖ୍ୟା ୧୮ ଲକ୍ଷ ଥିବା ଲେଖାଯାଇଛି ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ମ୍ୟୁନିସିପାଲିଟିରେ ମାତ୍ର ୪୨ ଜଣଙ୍କୁ ଜମି ପଟ୍ଟା ଦିଆଯାଇଛି । ଯେଉଁଠିକୁ ରତନ ଟାଟା ଭଳି ବ୍ୟକ୍ତିଙ୍କୁ ଆଣି କୋଟିକୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରି ରାଜ୍ୟ ସରକାର ଏତିକି କାମ କରିଛନ୍ତି ଅନ୍ୟ ସ୍ଥାନର ସ୍ଥିତି କଣ ତାହା ସ୍ପଷ୍ଟ ବାରି ହେଉଛି ।
୫୧ ହଜାର ପରିବାରଙ୍କୁ ଜମି ଅଧିକାର ସାର୍ଟିଫିକେଟ ମିଳିଛି କିନ୍ତୁ ସେମାନଙ୍କୁ ପଟ୍ଟା ମିଳିନାହିଁ । ସରକାର ଦେଇଥିବା ସାର୍ଟିଫିକେଟକୁ ନେଇ ହିତାଧିକାରୀ ଘର ତିଆରି ପାଇଁ ପ୍ଲାନ ଆବେଦନ କରିପାରିବେ ନାହିଁ କି ବ୍ୟାଙ୍କରୁ ଗୃହ ଋଣ ନେଇପାରିବେ ନାହିଁ । ଏପରିକି ରେସିଡେନସ ପ୍ରୁଫ ଭାବେ ମଧ୍ୟ ସାର୍ଟିଫିକେଟକୁ ବ୍ୟବହାର କରିପାରିବେ ନାହିଁ । ଏହା ସ୍ପଷ୍ଟ କରୁଛି ଜାଗା ମିଶନରେ ଲାଭାର୍ଥୀ ମାନଙ୍କୁ କୌଣସି ଲାଭ ମିଳି ନାହିଁ । କେବଳ ମିଳିଛି ଖାଲି ଖଣ୍ଡେ କାଗଜ । ଆଉ ଏହି କାଗଜ ଖଣ୍ଡକୁ ଦେଖାଇ ପୁରସ୍କାର ହାତେଥିବାର ମିଛ ବାଃବାଃ ନେଉଛନ୍ତି ସରକାର ବୋଲି ଲେଖାଶ୍ରୀ କହିଛନ୍ତି ।