ଅଷ୍ଟମ ଶ୍ରେଣୀ ଇଂରାଜୀ ବହିରୁ ପାରାଏ ପଢ଼ି ନ ପାରି ୨ ଶିକ୍ଷୟିତ୍ରୀ ନିଲମ୍ବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦେବେନ୍ଦ୍ର ପାଣ୍ଡେଙ୍କ ସାମ୍ନାରେ ଶନିବାର ସକାଳେ ଗୋଟାଏ ଅଷ୍ଟମ ଶ୍ରେଣୀ ଇଂରାଜୀ ପାଠ୍ୟ ପୁସ୍ତକରୁ ପାରାଏ ପଢ଼ି ନ ପାରିବା କାରଣରୁ ଉନ୍ନାଓସ୍ଥିତ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ବରିଷ୍ଠ ଏବଂ ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି । ପାରାଏ ପଢ଼ିବାକୁ କହିବାରୁ ଉଭୟ ଶିକ୍ଷକ ଏବଂ ସେମାନେ ପଢ଼ାଉଥିବା ପିଲାଏ ପଢ଼ି ନ ପାରିବାରୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଆବାକାବା ହୋଇ ଯାଇଥିଲେ । ସେ କହିଛନ୍ତି, ମୌଳିକ ଶିକ୍ଷା ଅଧିକାରୀଙ୍କୁ ମୁଁ କୈଫିୟତ୍‌ ମାଗିଛି । ମୌଳିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାଣ୍ଡେ ବରିଷ୍ଠ ଶିକ୍ଷୟିତ୍ରୀ ସୁଶୀଳା ଏବଂ ସହକାରୀ ଶିକ୍ଷୟିତ୍ରୀ ରାଜକୁମାରୀଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନା ଅନୁଯାୟୀ, ଉନ୍ନାଓରୁ ଫେରୁଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ଉନ୍ନାଓ ଏସ୍‌ପି ଏମ୍‌ପି ବର୍ମା ଚୌରାସ୍ଥିତ ଉଚ୍ଚମାଧ୍ୟମିକ ସ୍କୁଲ୍‌କୁ ଯାଇଥିଲେ । ସେମାନେ ଦୁଇଜଣ ଶିକ୍ଷକଙ୍କୁ ଭେଟି କେତୋଟି ପ୍ରଶ୍ନ ପଚାରି ଥିଲେ ଯାହାର ଉତ୍ତର ଦେବାରେ ସେ ଦୁହେଁ ବିଫଳ ହୋଇଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଥିଲେ, ସେମାନେ ତୁରନ୍ତ ନିଲମ୍ବିତ ହେବା ଯୋଗ୍ୟା । ମୁଁ ସେମାନଙ୍କୁ ପାରାଏ ପଢ଼ିବାକୁ କହିଥିଲି, ଅନୁବାଦ କରିବାକୁ ନୁହେଁ । ଆପଣମାନେ ପଢ଼ି ପାରୁ ନାହାନ୍ତି । ଆପଣମାନେ ସ୍ନାତକ ଏବଂ ବିଟିସି କୋର୍ସ କରିଛନ୍ତି । ମୌଳିକ ଶିକ୍ଷା ଅଧିକାରୀ କହିଛନ୍ତି ଯେ ନିଲମ୍ବିତ ଶିକ୍ଷୟିତ୍ରୀମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ।

Leave a comment