ପ୍ରଶାସନ ୨ମାସ ବନ୍ଦ କଲା ବ୍ରହ୍ମପୁର ସିଟି ବସଷ୍ଟାଣ୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମପୁରର ସିଟି ବସଷ୍ଟାଣ୍ଡ ଆଜିଠାରୁ ବନ୍ଦ ହୋଇଛି । ବ୍ରହ୍ମପୁର ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାରୁ ଏହାକୁ ୨ମାସ ପାଇଁ ବନ୍ଦ କରାଯିବାକୁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହା ବଦଳରେ ହଳଦିଆପଦର ବସଷ୍ଟାଣ୍ଡକୁ ସମସ୍ତ ବସ ଯିବାକୁ ସ୍ଥିର କରାଯାଇଛି ।
ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ବ୍ରହ୍ମପୁରର ସିଟି ବସଷ୍ଟାଣ୍ଡ ୨ମାସ ବନ୍ଦ କରାଯିବା ଓ ଏହାବଦଳରେ ହଳଦିଆପଦର ବସଷ୍ଟାଣ୍ଡକୁ ବସ ଯିବା ବ୍ୟବସ୍ଥାକୁ ଘରୋଇ ବସ ମାଲିକ ସଂଘ ବିରୋଧ କରିବା ସହ ଆଜି ସମସ୍ତ ବସ ସେବାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ।
ଅପରପକ୍ଷରେ ଯାତ୍ରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଏ ଏହାକୁ ଧ୍ୟାନରେ ରଖି ପ୍ରଶାସନ ହଳଦିଆପଦରରୁ ସହରର ବିଭିନ୍ନ ସ୍ଥାନକୁ ଯିବା ଆସିବା ଲାଗି ୧୦ଟି ସିଟି ବସର ବ୍ୟବସ୍ଥା କରାଯାଇଛି । ଏହି ନବୀକରଣ ଦ୍ୱାରା ପିଇବା ପାଣିଠାରୁ ଆରମ୍ଭ କରି ଶୌଚାଳୟ ଓ ଯାତ୍ରୀଙ୍କ ବସିବା ପାଇଁ ସମସ୍ତ ପ୍ରକାର ସୁବିଧା ରହିବ ।