ପ୍ରଣବ, ସଞ୍ଜୟ ଓ ପ୍ରତାପଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଳୀୟ ସଙ୍ଗଠନକୁ ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରଣବ ପ୍ରକାଶ(ବବି)ଙ୍କୁ ବିଜେଡ଼ିର ସାଧାରଣ ସମ୍ପାଦକ(ସଂଗଠନ)ଦାୟିତ୍ୱ ପ୍ରଦାନ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିଜେଡ଼ି ସାଧାରଣ ସମ୍ପାଦକ ( ମୁଖ୍ୟାଳୟ) ପଦରେ ନିଯୁକ୍ତି ଦିଆଯାଇଛି ।

ସେହିପରି ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବିଜେଡ଼ିର ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଦଳର ଆଗାମୀ ସାଂଗଠନିକ ନିର୍ବାଚନ ସେ ପରିଚାଳନା କରିବେ ।

ସୂଚନା ଅନୁଯାୟୀ, ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସ ପୂର୍ବରୁ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରିସାରିଛନ୍ତି । ସେ ସବୁବେଳେ ଦଳର ଏକ କର୍ତ୍ତବ୍ୟନିଷ୍ଠ ନେତା ଭାବେ ମୁଖ୍ୟମନ୍ତ୍ରୀଙ୍କର ଖୁବ ନିକଟତର । ସାରା ରାଜ୍ୟରେ ବିଜେଡ଼ି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପଛରେ ତାଙ୍କର ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ବେଶ ପ୍ରଶଂସନୀୟ । ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ମଜଭୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ତେଣୁ ମୁଖ୍ୟମନ୍ତ୍ରୀ ବବିଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ବିଜେଡ଼ିର ସାଧାରଣ ସମ୍ପାଦକ(ସଂଗଠନ) ପରି ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ।

ସେହିପରି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ମଧ୍ୟ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା । ମନ୍ତ୍ରୀ ଦାୟିତ୍ୱଠାରୁ ସଂଗଠନ ଦାୟିତ୍ୱ ପର୍ଯ୍ୟନ୍ତ ସବୁଥିରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ବିଜେଡ଼ି ଯୁବ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସେ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ପ୍ରିୟ ବୋଲି ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୁଏ ।

Leave a comment