ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ । ଏହିପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶ ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ସ୍ଥଳଭାଗରେ ପବନର ବେଗ ୧୩୫ କିମି ହୋଇପାରେ । ବାତ୍ୟା ବୁଲବୁଲ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ବାତ୍ୟା ବୁଲବୁଲ ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣପୂର୍ବକୁ ୩୯୦ କିଲୋମିଟର ଦୂରରେ ରହିଛି । ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡର ଦକ୍ଷିଣରେ ୫୩୦ କିମି ଓ ବାଲାଂଦେଶର ଖେପୁପରାଠାରୁ ଦକ୍ଷିଣପଶ୍ଚିମକୁ ୬୩୦ କିମି ଦୂରରେ ରହିଛି ।

ପାଣିପାଗ ସୂଚନା ଅନୁଯାୟୀ, ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ଆହୁରି ବଳିୟାନ ହେବ ବାତ୍ୟା ବୁଲବୁଲ । ଏହା ପରେ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ପରେ ପୁଣି ଉତ୍ତରକୁ ଗତି କରିବା ପରେ ଲାଣ୍ଡଫଲ କରିବ । ଓଡିଶା ଉପରୁ ବାତ୍ୟା ବିପଦ ଟଳିଥିଲେ ମଧ୍ୟ ଏହାର ପ୍ରଭାବରେ ଓଡିଶାରେ ତିନି ଦିନ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ ।
ଆଜି ପୁରୀ, କେନ୍ଦ୍ରାପଡା, ଭଦ୍ରକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସହ ୫୦ କିଲୋମିଟର ବେଗରେ ପବନ ବହିବା । ସେହିପରି ଆସନ୍ତା କାଲି ଏହାର ବେଗ ବଢି ୮୦ ରୁ ୯୦ କିଲୋମିଟରରେ ପହଞ୍ଚିବ ।

Leave a comment