ଅଲଗା ହେଲା ଜମ୍ମୁ – କଶ୍ମୀର, ଗୋଟିଏ ରାଜ୍ୟ ହେଲା ୨ଟି କେନ୍ଦ୍ରଶାସିତ ଅଞ୍ଚଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତି ୧୨ଟା ପରେ ଆମ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଂଖାରେ ପରିବର୍ତ୍ତନ ଘଟିଛି । ଏବେ ରାଜ୍ୟ ସଂଖ୍ୟା ୨୯ରୁ କମି ୨୮ ହୋଇଥିବା ବେଳେ କେନ୍ଦ୍ରଶାସିତ ଅଞ୍ଚଳର ସଂଖ୍ୟା ବୃଦ୍ଧିପାଇ ୯ରେ ପହଞ୍ଚିଛି । କାରଣ ଗତକାଲି ରାତି ୧୨ଟା ପରେ ଜମ୍ମୁ-କାଶ୍ମୀର ଓ ଲଦାଖ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି । ଧାରା ୩୭୦ ଉଚ୍ଛେଦର ୮୬ ଦିନ ପରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି । ଦେଶରେ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ ଭାଙ୍ଗି ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି ।
ସୂଚନା ଅନୁଯାୟୀ, ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ କରାଯିବା ୮୬ ଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କାର୍ଯ୍ୟକାରୀ ହୋଇଛି । ସେହିପରି ଜମ୍ମ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଦାୟିତ୍ୱ ନେବେ ଓଡ଼ିଆ ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ । ଅନ୍ୟପକ୍ଷରେ ଏଥିରୁ ଅଲଗା ହୋଇ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଉପରାଜ୍ୟପାଳ ଦାୟିତ୍ୱ ନେବେ ଆରକେ ମାଥୁର।ଆଜି ଶ୍ରୀନଗର ଏବଂ ଲେହଠାରେ ୨ଟି ଭିନ୍ନ ଉତ୍ସବରେ ଦୁହେଁ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଜମ୍ମୁ-କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଉଭୟଙ୍କୁ ଶପଥ କରାଇବେ । ସେହିପରି ଲଦାଖ ଉପରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ଉମଙ୍ଗ ନରୁଲାଙ୍କୁ ଏବଂ ଏସ୍ଏସ୍ ଖଣ୍ଡାରେଙ୍କୁ ଲଦାଖ ପୁଲିସ୍ ମୁଖ୍ୟ ଭାବେ ନିଯୁକ୍ତି ମିଳିଛି । ଜମ୍ମୁ-କଶ୍ମୀର ପୁଦୁଚେରୀ ଭଳି ବିଧାନସଭା ସହ କେନ୍ଦ୍ରଶାସିତ ଅଞ୍ଚଳ ହେବ ଏବଂ ଲଦାଖ ଚଣ୍ଡୀଗଡ଼ ଭଳି ହେବ । ଲଦାଖର ସମ୍ପୂର୍ଣ୍ଣ ଶାସନ କ୍ଷମତା କେନ୍ଦ୍ର ସରକାର ପାଖରେ ରହିବ ।