ବିଏମସି ର ଅପାରଗତା, ଅନ୍ଧାରରେ ରାଜଧାନୀର ପ୍ରମୁଖ ରାସ୍ତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ହେବ ଭୁବନେଶ୍ୱର ର କିଛି ପ୍ରମୁଖ ରାସ୍ତାରେ ଜଳୁନହିଁ ଷ୍ଟ୍ରିଟ ଲାଇଟ । ଏହା ପ୍ରତି ବିଏମସି ର ନଜର ନାହିଁ । ପ୍ରାୟ ପ୍ରତେକ ଦିନ ଭୁବନେଶ୍ୱରରେ ଲୁଟପାଟ ଘଟଣା ସମ୍ନାକୁ ଆସୁଛି । ଆଉ ପ୍ରମୁଖ ରାସ୍ତାରେ ଷ୍ଟ୍ରିଟ ଲାଇଟ ଜଳୁନଥିବା ଅପରାଧୀଙ୍କୁ ଖୁବ ସୁହାଉଛି । ବିଏମସି ର ଅପାରଗତାକୁ ନେଇ ଧୀରେ ଧୀରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।
କେବଳ ଲାଇଟ ନୁହେଁ ସାମୁଦ୍ରିକ ବାତ୍ୟା ଫନି ଓ ତା’ ପୂର୍ବରୁ ହୋଇଥିବା ବଡବର୍ଷାର ପ୍ରଭାବରେ ସମସ୍ତ ୱାର୍ଡର ରାସ୍ତା ଓ ନାଳ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ନିଜ ଅଞ୍ଚଳର ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ପୂର୍ବତନ କର୍ପୋରେଟରଙ୍କ ପାଖକୁ ପହଁଚୁଛନ୍ତି । ମାତ୍ର ସେମାନଙ୍କ କଥା ବିଏମସି ଶୁଣୁନାହିଁ ବୋଲି ପୂର୍ବତନ କର୍ପୋରେଟର ଯେତେ ବୁଝିଲେ ସ୍ଥାନୀୟ ବାସିନ୍ଦା ଶୁଣିବାକୁ ନାରାଜ । ବିଏମସି ନିର୍ବାଚନ ପାଇଁ ଦିନ ନିକଟତର ହେଉଥିବା ବେଳେ ବିଏମସିର ଉଦାସୀନତା ପୁନର୍ବାର କର୍ପୋରେଟର ପ୍ରାର୍ଥୀ ହେବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି । ପୂର୍ବତନ କର୍ପୋରେଟରଙ୍କ ପାଖରେ ବର୍ତ୍ତମାନ କୌଣସି ପାୱାର ନଥିବା ସ୍ଥାନୀୟ ବାସିନ୍ଦା ବୁଝିବାକୁ ନାରାଜ । ତେଣୁ ଏହାର ପ୍ରଭାବ ଆସନ୍ତା କର୍ପୋରେଟର ନିର୍ବାଚନରେ ପଡିପାରେ ବୋଲି ଆଶାୟୀ ପ୍ରାର୍ଥୀ ଆଶଙ୍କା ପ୍ରକାଶ କଲେଣି ।
ସୂଚନା ଅନୁଯାୟୀ, ବମୀଖାଲ ଓଭର ବ୍ରିଜ ରାସ୍ତା ଓ ୬ନଂ ପ୍ଲାଟଫର୍ମକୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତା ଗୁଡିକରେ ଗତ କିଛିଦିନ ହେବ ଷ୍ଟ୍ରିଟ ଲାଇଟ ଜଳୁନହିଁ । ଯେତେ ଅଭିଯୋଗ କଲେ ମଧ୍ୟ କେହି ଏହା ପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ୬ନଂ ପ୍ଲାଟଫର୍ମ ପାଖରେ କିଛି ବସ୍ତି ଅଛି । ସେହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାତ୍ରୀ ଯାତ୍ରା କରୁଛନ୍ତି । ଉକ୍ତ ବସ୍ତିରେ ଅନେକ ଅସାମାଜିକ ବ୍ୟକ୍ତି ଲୁଚି ରହିଥିବାରୁ ଅଧିକାଂଶ ସମୟରେ ରେଳ ଯାତ୍ରୀମାନେ ଲୁଟପାଟର ଶିକାର ହେଉଛନ୍ତି । ଏବଂ ବର୍ତ୍ତମାନ ଷ୍ଟ୍ରିଟ ଲାଇଟ ନଜଳିବା ଅପରାଧୀଙ୍କ ପାଇଁ ବରଦାନ ସାଜିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଅପରପକ୍ଷରେ ପୂର୍ବରୁ ଆଇଏଏସ ଅଫିସର ଡାକ୍ତର କ୍ରିଷ୍ଣ କୁମାର ଓ ସମର୍ଥ ଶର୍ମା ବିଏମସି କମିଶନର ଭାବେ କାର୍ଯ୍ୟ କରୁଥିବା ସମୟରେ ସମଗ୍ର ସ୍ମାର୍ଟ ସିଟି ସମସ୍ତ କାର୍ଯ୍ୟ ଠିକ ଠାକ ଚାଲିଥିଲା । ଅଭିଯୋଗ ଆସିବା ମାତ୍ରେ ଏହାର ସମାଧାନ କରାଯାଉଥିଲା । ଶ୍ରୀ କୁମାର ଅନେକ ସମୟରେ ଅଚାନକ ଗ୍ରସ୍ତ କରି କାର୍ଯ୍ୟ ଠିକ ଭାବେ ଚାଲୁଛି ନା ନାହିଁ ତଦାରଖ କରୁଥିଲେ ।