ବାରାହା ମାରିବାକୁ ବମ ତିଆରି ସମୟରେ ଦୁର୍ଘଟଣା, ଜଣେ ମୃତ ୨ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରାହା ଶୀକାର ପାଇଁ ଘରେ ବମ ପ୍ରସ୍ତୁତି କରୁଥିବା ବେଳେ ଘଟିଲା ବିସ୍ଫୋରଣ । ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜଟିଆଶୋଳ ଗ୍ରାମର ଏହି ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ଦାସ ଟୁଡୁର ମୃତ୍ୟୁ ହୋଇଥିବା ବେଳେ ଭକ ସରେନ ଓ ଜଗର ମୁର୍ମୁ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ, ବାରହା ଶିକାର ପାଇଁ ଭକ ସରେନ, ଜଗର ମୁର୍ମୁ ଓ ଦାସ ଟୁଡୁ ନିଜ ଘରବାଡ଼ିରେ ହାତ ତିଆରି ବମରେ ବାରୁଦ ଭର୍ତ୍ତି କରୁଥିବା ସମୟରେ ଏହି ଘଟଣା ଘଟିଛି । ଫଳରେ ଘଟଣା ସ୍ଥଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ବହୁ ଜୋରରେ ଶବ୍ଦଶୁଣି ଗ୍ରାମବାସୀ ଆସି ଦେଖିବା ପରେ ସେମାନଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ନେଇଯାଉଥିବା ସମୟରେ ମୁର୍ଗବାଡି ଠାରେ ଦାସ ଟୁଡୁର ମୃତ୍ୟୁ ହୋଇଥିବା ବେଳେ ଜଗର ମୁର୍ମୁକୁ ଡାକ୍ତରଖାନାରେ ଭର୍ତି କରିଥିଲେ ପରିବାର ଲୋକ । ବମ ଫୁଟିବା ଘଟଣାକୁ ଲୁଚାଇବାକୁ ଯାଇ ମୃତବ୍ୟକ୍ତିଙ୍କୁ ଡାକ୍ତରଖାନାରୁ ଫେରାଇ ଆଣିଥିଲେ ।
ବିଶେଷ ସୂତ୍ରରୁ ଖବର ପାଇ ଝାରପୋଖରିଆ ଥାନାଧିକାରୀ ଶରତ କୁମାର ମହାଳିକ ଜଟିଆଶୋଳ ଗ୍ରାମରେ ପହଁଚି ମୃତ ବ୍ୟକ୍ତି ଦାସ ଟୁଡୁର ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବାରିପଦା ପଠାଇ ଥିବାବେଳେ ଘଟଣା ସ୍ଥଳରୁ ବମ ତିଆରି ସାମଗ୍ରୀର ଜିନିଷ ଜବଦ କରିଛନ୍ତି । ଅନ୍ୟପଟେ ଘରେ ଲୁଚି ରହିଥିବା ଭକ ସରେନର ଦୁଇ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ଦେଖି ଆଇଆଇସି ତାକୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସିତ ପାଇଁ ପଠାଇଛନ୍ତି । ଏବିଷୟରେ ପ୍ରକୃତ ଘଟଣା ତଦନ୍ତ ପରେ ଜଣା ପଡିବ ବୋଲି ଆଇଆଇସି ପ୍ରକାଶ କରିଛନ୍ତି ।