ଗୁଣ ସାଗର ହତ୍ୟାକାଣ୍ଡର ରହସ୍ୟ ଖୋଲିଲା ପୋଲିସ, ୨ ହତ୍ୟାକାରୀ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଝାରସୁଗୁଡ଼ା ଥାନା ଅଧିନସ୍ଥ ତିହାଡ଼ିପାଲି ନିକଟରେ ଗତ ୬ଦିନ ଘଟିଥିବା ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଏସ୍ଡ଼ିପିଓ କୈଳାଶ ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି । ତହାଡ଼ିପାଲି ଗ୍ରାମର ବିଭିଷଣ ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ଭାଇ ଗୁଣସାଗର ଦାସ (୪୮) ନିଖୋଜ ଥିବା ନେଇ ଗତ ୭ତାରିଖରେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ବିଭିଷଣଙ୍କ କହିବା ମୁତାବକ, ଗୁଣ ସାଗର ସାରସମାଲ ଠାରେ ଅନୁଷ୍ଠିତ ହେଉଥିବା କରମା ପୂଜା ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଅଭିଯୋଗ ର କିଛି ସମୟ ପରେ ଗାଁ ନିକଟରେ ଥିବା ଦୁର୍ଗା ରାଇସ ମିଲ ନିକଟରେ ଏକ ରକ୍ତାକ୍ତ ମୃତ ଦେହ ପଡ଼ିଥିବା ନେଇ ଖବର ମିଳିଥିଲା । ପୋଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା । ଏବଂ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କୁଆଡ଼ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ ପରେ ତାହା ଗୁଣ ସାଗର ମୃତଦେହ ବୋଲି ଜଣାପଡିଥିଲା । ଗୁଣ ସାଗରଙ୍କ ବେକକୁ କଟା ଯାଇଥିବା ବେଳେ ବୋତଲରେ ତାଙ୍କ ପେଟକୁ ଭୁସି ହତ୍ୟା କରାଯାଇଥିବା ପୁଲିସ ରିପୋର୍ଟରେ ଦର୍ଶାଇଥିଲା । ପୋଲିସ ଗୁଣସାଗର ମୃତଦେହ ପାଖରେ ଏକ ଚପଲ ପାଇଥିଲା । ଯାହାକି ପୋଲିସକୁ ହତ୍ୟାକାରୀଙ୍କ ପାଖରେ ପହଞ୍ଚାଇ ଥିଲା ।

ସୂଚନା ଅନୁଯାୟୀ, ମୃତ ଗୁଣସାଗର ଓ କହ୍ନେଇଜୋର ଖମାଢ଼ିପା ଗ୍ରାମର ଜଗନ୍ନାଥ ଧରୁଆ (୩୫) ପୂର୍ବରୁ ଖମାଢ଼ିପା ଠାରେ ଏକ ନିର୍ମାଣାଧିନ ପୋଖରୀ ଓ ବ୍ରିଜ ସ୍ଥଳରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ତେବେ ସେବେଠାରୁ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ମଝିରେ ମଝିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ପୁଲିସ କହିଛି । ଘଟଣା ଦିନ ଜଗନ୍ନାଥ ଓ ସାରସମାଲ କଲୋନୀ ଠାରେ ରହୁଥିବା ଚକ୍ରଧରପୁରର ଚନ୍ଦ୍ର ମୋହନ କୁଜୁର( ୩୬) ସହିତ ଗୁଣ ସାଗରକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ସେହି ଦିନ ରାତି ୮ରୁ ସାଢ଼େ ୮ ଟା ମଧ୍ୟରେ ଗୁଣ ସାଗର ସାଇକେଲରେ ଫେରୁଥିବା ବେଳେ ହତ୍ୟାକରୀ ଦ୍ବୟ ତାଙ୍କୁ ଅଟକାଇ ପ୍ରଥମେ ଯୁକ୍ତି ତର୍କ କରିଥିଲେ । ପରେ ହାତାହାତି ହେବା ପରେ ଜଗନ୍ନାଥ ଏକ ଭଙ୍ଗା ବିୟର ବୋତଲରେ ଗୁଣ ସାଗରର ପେଟକୁ ଭୁସି ଦେଇଥିବା ବେଳେ ଚନ୍ଦ୍ର ମୋହନ ଧରିଥିବା ଏକ ଛୁରୀରେ ତାଙ୍କ ତଣ୍ଟି କାଟି ଦେଇଥିଲା । ଗୁଣ ସାଗର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିବା ପରେ ଉଭୟେ ସେଠାରୁ ଫେରାର ହୋଇ ଯାଇଥିଲେ ।

ପୁଲିସ ଆଜି ଉଭୟ ହତ୍ୟାକାରୀ ଜଗନ୍ନାଥ ଓ ଚନ୍ଦ୍ର ମୋହନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହତ୍ୟା କରିଥିବା ନେଇ ସ୍ବୀକାର କରିଥିବା ବେଳେ ଗୁଣସାଗର ମଦ୍ୟପାନ କରି ଗାଁରେ ଅତ୍ୟାଚାର କରୁଥିବାରୁ ତାକୁ ସେମାନେ ହତ୍ୟା କରିଥିବା କହିଛନ୍ତି । ଜଗନ୍ନାଥ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ଥିବା ପୁଲିସ କହିଛି ।

Leave a comment