ଟଙ୍କା ପାଇଁ ନିଜ ଅପହରଣର ବ୍ଲୁପ୍ରିଣ୍ଟ ତିଆରି କଲା ପୁଅ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାପାଠାରୁ ଟଙ୍କା ହାତେଇବା ପାଇଁ ନିଜ ଅପହରଣ ନାଟକ ରଚିଲା ପୁଅ । ଏଭଳି ଏକ ଘଟଣା ଅନଗୁଳ ଜିଲ୍ଲାରେ ଘଟିଯାଇଛି । ଯାହାକୁ ନେଇ ବାପା ଥାନାରେ ଅଭିଯୋଗ କରିଛନ୍ତି ।

ଅନଗୁଳ ପୋଲିସର ସୂଚନା ଅନୁଯାୟୀ, ଅନଗୁଳର ଶିମିଳିପଡ଼ାଠାରେ ରହୁଥିବା ପଞ୍ଚାନନ ଘୋଷ ଗତକାଲି ନିଜ ପୁଅ ଗୌରବ ଘୋଷ (୨୦) ଓ ତାଙ୍କ ତିନି ସାଙ୍ଗଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ପଞ୍ଚାନନଙ୍କ ଅଭିଯୋଗ ମୁତାବକ ତାଳଚେର ର ପପୁ ଗୌରବଙ୍କୁ ଫୋନ କରି ତାର ବାକିଥିବା ୪୦,୦୦୦ ଟଙ୍କା ମାଗିଥିଲା । ଗୌରବ ବାପାଙ୍କ ଠାରୁ ପଇସା ନେଇ ସେମାନଙ୍କୁ ଦେବାକୁ ଯାଇଥିଲା । ଏହି ଟଙ୍କା ନେଇଯିବା ପରେ ସନ୍ଧ୍ୟା ପର୍ଯ୍ୟନ୍ତ ଗୌରବ ଘରକୁ ଫେରିନଥିଲା । ଏହାପରେ ସନ୍ଧ୍ୟାରେ ଶକ୍ତି ନାମରେ ନିଜକୁ ପରିଚୟ ଦେଇ ପଞ୍ଚାନନଙ୍କୁ ଫୋନ କରିଥିଲା । ସେ କହିଥିଲେ ଆଉ ୨୫,୦୦୦ ଟଙ୍କା ନଦେଲେ ତାଙ୍କ ପୁଅକୁ ଆଉ ଫେରି ପାଇବେନି । ଏହା ଶୁଣିବା ପରେ ପଞ୍ଚାନନଙ୍କ ପାଦତଳୁ ମାଟି ଖସି ଯାଇଥିଲା । ସେ ଶକ୍ତି କହିଥିବା ସ୍ଥାନ ପିଟିସି ହାଇସ୍କୁଲ ଛକରେ ରାତି ପ୍ରାୟ ଆଠଟା ବେଳେ ଟଙ୍କା ନେଇ ପହଞ୍ଚିଥିଲେ । ସେଠାରେ ସେ ପହଞ୍ଚିବା କ୍ଷଣି ୪ ଜଣ ଯୁବକ ହଠାତ ତାଙ୍କୁ ମାଡ଼ ମାରି ୨୫ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏହି ଘଟଣା ପରେ ପଞ୍ଚାନନଙ୍କ ତାଙ୍କ ପୁଅ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା । ସେ ଘଟଣା ସମ୍ୱନ୍ଧରେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରି ଏହି ଅପହରଣ ନାଟକ ରଚିଥିବା ପଞ୍ଚାନନଙ୍କ ପୁଅ ଗୌରବ ଏବଂ ତାଙ୍କର ଅନ୍ୟ ତିନି ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଅମଲାପଡାର ବିନୋଦ ବେହେରା, ସମଲ ଥାନା ଗହମ ଗ୍ରାମର ପପୁନ କୁମାର ସାହୁ ଓ ଲିଙ୍ଗରାଯୋଡ଼ି ଗାଁର ଶକ୍ତି ପ୍ରସାଦ ମହାନ୍ତି । ପୋଲିସ ସେମାନଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି । ଗିରଫ ୪ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି  ।

Leave a comment