ଭାବନାକୁ ପରିପ୍ରକାଶର ସବୁଠାରୁ ଶ୍ରେଷ୍ଠ ମାଧ୍ୟମ ମାତୃଭାଷା: ଉପରାଷ୍ଟ୍ରପତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର କିଟ୍ ପରିସରରେ ୩୯ତମ ବିଶ୍ୱ କବି ସମ୍ବିଳନୀର ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ନାଇଡୁ କହିଥିଲେ, ଦୟା ହେଉଛି ସବୁଠାରୁ ବଡ଼ ବିଚାର । ଏହି ସମ୍ମିଳନୀରେ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଭାବନାକୁ ପରିପ୍ରକାଶର ସବୁଠାରୁ ଶ୍ରେଷ୍ଠ ମାଧ୍ୟମ ମାତୃଭାଷା ବୋଲି କହିଥିଲେ ଶ୍ରୀ ନାଇଡୁ । ଛାତ୍ରଛାତ୍ରୀମାନେ ପ୍ରଥମେ ନିଜ ମାତୃଭାଷା ଶିଖନ୍ତୁ ଏବଂ ପରେ ଅନ୍ୟଭାଷା ଶିଖନ୍ତୁ ବୋଲି ଶ୍ରୀ ନାଇଡୁ କହିଛନ୍ତି । ଚଳିତବର୍ଷ ଭାରତର ସୁନ୍ଦର ରାଜ୍ୟ ଓଡ଼ିଶାରେ ବିଶ୍ୱ କବି ସମ୍ବିଳନୀ ଅନୁଷ୍ଠିତ ହେବା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ । କବିତା ମାଧ୍ୟମରେ ଭ୍ରାତୃତ୍ୱ ଭାବ ଓ ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ୩୯ତମ କବି ସମ୍ବିଳନୀ ସଭାପତି ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବେଶ ପ୍ରଶଂସନୀୟ । ତାଙ୍କର ଏହି ଦୂରଦୃଷ୍ଟି ଯୋଗୁଁ ଏଠାରେ ବିଭିନ୍ନଦେଶର କବିମାନଙ୍କର ବିଚାରଧାରା, ଭାଷା, ଶବ୍ଦ, ତାଳ ଓ ଲୟର ସମନ୍ୱୟ ଦେଖାଦେଇଛି ।
କବିତା ଗଭୀର ଭାବନାକୁ ପରିପ୍ରକାଶ କରିବା ସହ ଆଶ୍ଚର୍ଯ୍ୟଜନକ ପ୍ରତିଛବି ସୃଷ୍ଟି କରିଥାଏ । ଜୀବବିଜ୍ଞାନୀଙ୍କ ମତରେ ମାନବ ବିବର୍ତ୍ତନରେ ସୃଜନଶୀଳତାର ବିକାଶ ସବୁଠାରୁ ବଡ଼ ପଦକ୍ଷେପ ଥିଲା । ସୃଜନଶୀଳ ବ୍ୟକ୍ତିଙ୍କ ବ୍ୟତୀରେକ ସମାଜ ଆଗକୁ ବଢ଼ିପାରେ ନାହିଁ ବୋଲି ଶ୍ରୀ ନାଇଡୁ କହିଥିଲେ । ସେହିପରି ଅନ୍ୟତମ ଅତିଥି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଲେ, ଓଡ଼ିଶା ହେଉଛି ସ୍ୱର୍ଗୀୟ ଭୂମି । ବିଶ୍ୱର ଆଧ୍ୟାତ୍ମିକ ଗୁରୁ ଏବଂ ଆଧ୍ୟାତ୍ମିକ ଦାର୍ଶନିକଙ୍କ ମତରେ ଏହି ଭୂମିର ମୁକ୍ତି ଦେବାର କ୍ଷମତା ରହିଛି । ଓଡ଼ିଶା ଏଭଳି ଏକ ପୁଣ୍ୟ ଭୂମି ଯେଉଁଠି ପ୍ରତ୍ୟେକ ଜଣେଜଣେ ଜଗନ୍ନାଥଙ୍କ ପ୍ରତିନିଧି ।