ଅସୁସ୍ଥ ହାତୀକୁ ଛାଡି ଚାଲିଗଲେ ଡାକ୍ତରୀ ଦଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ଘଟିବାରେ ଲାଗିଛି ମାଈ ହାତୀର ସ୍ୱାସ୍ଥ୍ୟବସ୍ଥା । ବିଗତ ୫ଦିନଧରି କେନ୍ଦୁଝର ଜିଲ୍ଲା ଉପରସୁମଠରେ ଚାଲିଥିଲା ହାତୀର ଚିକିତ୍ସା । ହେଲେ ହାତୀର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ହାତୀର ଏପରି ଅବସ୍ଥାରେ ଡାକ୍ତରୀ ଦଳ ଛାଡି ଚାଲିଯିବା ନେଇ ପରିବେଶବିତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସୂଚନା ଅନୁଯାୟୀ, କିଛିଦିନ ତଳେ ସ୍ଥାନୀୟ ଲୋକମାନେ ହାତୀଟି ଅସୁସ୍ଥ ଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ସ୍ଥାନୀୟ ଡାକ୍ତର ହାତୀଟିର ଚିକିତ୍ସା କରିବା ସହ ଭୁବନେଶ୍ୱରରୁ ଗୋଟିଏ ଟିମ ଓ ଶିମିଳିପାଳରୁ ୨ଟି ଟିମ ଯାଇ ହାତୀର ଚିକିତ୍ସା ଆରମ୍ଭ କରିଥିଲେ । ଦୀର୍ଘ ୫ଦିନର ଚିକିତ୍ସା ପରେ ମଧ୍ୟ ହାତୀର ସ୍ୱାସ୍ଥ୍ୟବସ୍ଥା ରେ କୌଣସି ଉର୍ଣ୍ଣତ୍ତି ପରିଲକ୍ଷିତ ହୋଇନଥିଲା । ମାତ୍ର ବର୍ତ୍ତମାନ ହାତୀର ଏପରି ଅବସ୍ଥାରେ ଭୁବନେଶ୍ୱରରୁ ଓ ଶିମିଳିପାଳରୁ ଯାଇଥିବା ଡାକ୍ତରୀ ଦଳ ସ ଘଟଣାସ୍ଥଳରୁ ପଳାଇଛନ୍ତି । ସ୍ଥାନୀୟ ଡାକ୍ତର ଏବେ ଅସୁସ୍ଥ ହାତୀର ଚିକିତ୍ସା କରୁଛନ୍ତି । ପୂର୍ବରୁ ଦୁଇ ଦିନ ଧରି ହାତୀ ଖାଦ୍ୟ ଖାଇଥିବା ବେଳେ ଆଜି କିନ୍ତୁ ଖାଇବା ଛାଡ଼ି ଦେଇଛି । କେବଳ ଔଷଧ ଓ ସାଲାଇନ୍ ଚାଲିଛି । ଫଳରେ ଏବେ ହାତୀର ଚିକିତ୍ସା କିପରି ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।
ଗତ ମାସ ନନ୍ଦନକାନନରେ ହର୍ପିସ୍ ଭୂତାଣୁ ସଂକ୍ରମଣରେ ଚାରି ହାତୀଙ୍କ ମୃତ୍ୟୁ ହୋଇଛି । ସେହିପରି କଟକ କୂଅମଡ଼ା ଜଙ୍ଗଲରେ ଦୁଇଦିନ ତଳେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଗତ ରବିବାରଠାରୁ ହାତୀର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୪ ଦିନ ପରେ ବି ରିପୋର୍ଟ ଆସି ପାରି ନାହିଁ । ତେଣୁ ହାତୀଟି ହର୍ପିସ୍ କିମ୍ବା ଅନ୍ୟ କେଉଁ ରୋଗରେ ଆକ୍ରାନ୍ତ ହୋଇଛି ତାହା ସ୍ପଷ୍ଟ ହୋଇନି ।